ପ୍ରଜ୍ଞା ପ୍ରୟାସ – JULY 2023

ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର, ମସନିକାନୀ,ସୁନ୍ଦରଗଡ

ବଞ୍ଚିଛି ସିନା ମୁ

ବଞ୍ଚିଛି ସିନା ମୁ  ପାରୁନାହି ଜାଣି

କା ପାଇ ବଞ୍ଚିଛି ମୁହି

ଅବୋଧ ଅଗ୍ଯାନ ନାହି ବୁଦ୍ଧିଗ୍ଯାନ

ଜାଣିବା ଶକତି ନାହି ।୦।

 

ମନ ଖୋଜେ ଯାହା ମିଳେ ନାହି ତାହା

ଖୋଜିବା କେବଳ  ସାର

କରମ ଆଦରି ବଞ୍ଚିବା ହୁଏ

ନାହି ଆନ ପ୍ରତିକାର

ଆସିଛି କେଉଠୁ ଯାଉଛି କାହୀ ମୁ

କିଛି ଜାଣି ପାରୁ ନାହି ।୧।

 

ଅନ୍ତସାର ଶୂନ୍ଯ ଅନ୍ତର ମୋହର

ଚ ଉଦିଗ  ଅନ୍ଧକାର

ଆଲୋକ ସନ୍ଧାନ କରିବା ପାଇ କି

ବୁଦ୍ଧି ଅବା କାହି ମୋର

ହେ କରୁଣା ମୟ ଆଲୋକ ଦେଖାଅ

ସଟହଟା କରନାହି II

 

ଇଂ ରାଜ ବିହାରି ପାଣ୍ଡେ, ବେହେରା ମାଳ,ଝାରସୁଗୁଡା

ବର୍ଷା

ଋତୁର କ୍ରମରେ ନିଦାଘର ପରେ,

ଆସଇ  ବରଷା କାଳ,

ନୀଳ ଗଗନ ରେ ଜୀମୂତ ଙ୍କ ମେଳି,

ଲାଗି ରହେ ଅର୍ନଗଳ  । ୧।

ବାଆ ବତାସ ବି ସାଥି ହୋଇ ଆସି,

ରଚଇ ଅସୀମ ଖେଳ,

ଝଡ ବର୍ଷା ସାଥେ ଅଣଚାଶ ବୋହି,

ଉଫାଡେ ଦ୍ରୁମ, ଛପର   । ୨।

ଭରି ଯାଏ ଜଳ ନଈ, ନାଳ, ଖାଳ,

ଅସୀମ ଜଳ ସମ୍ଭାର,

ନିଜ ଧାର ଛାଡି, କୂଳ ଲଙ୍ଗି ନଈ,

ଭାସାଏ ଗାଆଁ, ସହର  । ୩।

ବିପନ୍ନ ହୁଅଇ ଧନ ଓ ଜୀବନ,

ବନ୍ଯାର କୋପ ପାଇଁ,

କେତେ ଭୟଙ୍କର ବନ୍ଯା ବୀଭିଷିକା,

ଲେଖିଲେ ସରିବ ନାହିଁ   । ୪।

ବରଷାର ପାଣି ବର୍ଷିବା ମାତ୍ରକେ,

ଶିତଳ ଧରଣୀ କୋଳ,

ଆସ୍ବସ୍ତି ଲଭିଲା ଜୀବନ ସକଳ,

ସଂଜୀବିତ ଗୁଳ୍ମ କୂଳ   । ୫।

ସବୁଜ ସୁନ୍ଦର ଧରଣୀର କୋଳ,

ସର୍ବତ୍ର ସବୁଜ ମୟ,

ଲାଗି ପଡେ ଚାଷି ଶସ୍ଯ ଉପାର୍ଜନେ,

ବର୍ଷାକୁ ନ କରି ଭୟ  । ୬।

ଫୁଟି ଯାଏ ଫୁଲ ବାଡି ବଗିଚାରେ,

ଧରଣୀ ଶୋଭା ବର୍ଦ୍ଧନ,

ପତଙ୍ଗ ଙ୍କ ମେଳେ ବଢେ ଶୋଭା ହେଲେ,

ସେ ସବୁ ସ୍ବଳ୍ପ କାଳିନ  । ୭।

ବରଷା ଋତୁରେ ମଙ୍ଗଳ ବିଧାନ,

ଦାଣ୍ଡରେ ଜଗତ କର୍ତ୍ତା,

ଭକ୍ତ ଭଗବାନ ଭାବ ମିଳନର,

ପ୍ରସାରେ  ସୁଦୂର ବାର୍ତ୍ତା  । ୮।

ବନାନୀ ବାଳା ନାଏକ, ସୁନ୍ଦରଗଡ଼

ହରିଆଲି ଉଆଁସ୍

ପଶ୍ଚିମ ଓଡ଼ିଶା କେ କୃଷି ପରବ୍

ହରିଆଲି ଉଆଁସ୍  ପାଲ୍ ବୋ,

ନଙ୍ଗଲ , ଯୁଏଡ୍, ଲୁହା ,ଶାବଲ୍

ଏକ୍ ଠନିଆଁ ରଖବୋ।।

 

ଧୁଇ ଧୁଆ କେ ସଫା କରକେ

ଦୁଆରେ ପୂଜା କର୍ ବୋ,

ଅଟା ଗୁଡ଼ କେ ଚକେଲ ପିଠା

ଗାଏ ଘି ଥି ବନାବୋ ।।

 

ଵହ ଭୂଆସେନ୍ ଯେତେ ଆହେନ୍

ଇ ପରବ୍ ଲା ମାନବୋ,

ସଖାଲୁ ସଖାଲୁ ଗାଏଧ୍ ବୁଡ଼ କେ

ପୂଜା ଧଜା କର୍ ବୋ ।।

 

ଘି ଗୁଡ଼,ଧୂପ୍,ଦୀପ ,ଥି

ବନ୍ଦାପନା କର୍ ବୋ,

ପୀଠଉ ହଥା ନଙ୍ଗଲ ଯୁଏଡ୍ ଥି

ଭକ୍ତି ମନେ ଦେବୋ।।

 

ଘି ଥି ଭାଜ୍ ବୋ ମହୁଲ ଦିଟା

ଅଟା ଚକେଲ ସଙ୍ଗେ ଦେବୋ,

ଫୁଲ,ଚନ୍ଦନ, ମଖାଏ ଦେବୋ

ହରିଆଲି ଉଆଁସ୍ ମାନବୋ ।।

 

ହୁଲ୍ ହୁଲି ଦେବୋ,ଘଣ୍ଟ ବଜାବୋ

ମୁଣ୍ଡିଆ ଗୁଟେ ମାରବୋ,

ଫୁଲକା ଲାଇ ଯୁଙ୍ଗାର ବନାଏକେ

ପରସାଦ ପାନି ଛଡ଼ାବୋ।।

ରନ୍ଧା ଘର କେ କାନ୍ଥି ଥି ବନାବୋ

ଢେଉ ରଙ୍ଗ ଥି କେତେ,

ହଲ୍, ହଲିଆ, ଗାଏ,ଗରୁ

ଘର୍ ପୁସିଆଁ ଯେତେ ।।

ଛେଲି, ଭେଣ୍ଡି, କୁକ୍ ରା,ଚିମ୍ ରା

ବାଛୁର,ପୋଡ଼ , ଉସେର,

ଭାର, ଭରିଆ, ଗୁତି କମିହା

କାନ୍ଥି ଦିଶିହି ସୁନ୍ଦର ।।

 

ସବୁ ଫଟୁ ଥି ଘି ଗୁଡ଼ , ପିଠା

ଚଟାଏ ଚଟି ଦେବୋ,

ଦନା ଥି ଦେବୋ କୁହୁଲା ଟିକେ

ମୁଣ୍ଡିଆ ଗୁଟେ ମାରବୋ ।।

 

କୃଷି ଭିତ୍ତିକ ପର୍ବ ଇଲା

ଅଘରିଆ ମନ କେ ଆଏ,

ବର୍ଷେ ଥି ଥରେ ନଙ୍ଗଲ ପୂଜା

କର୍ ବାର ବିଧି ଆହେ ।।

 

ଯୁଗ ବଦଲିସ୍ କାହାରି ଘରେ

ନିନ ଆଉ ନଙ୍ଗଲ,

ଟ୍ରାକ୍ଟର ଯୋଗେ ଚାଷ ହଥେ

କିଏ ଖୁଜଥେ ନଙ୍ଗଲ ।।

 

ଗାଏ ଗରୁ କେ ଯତନ କିଏ

କରିହି ଆଉ ଏଥର,

ସଭେ ପରେ ସୁଖୀଆରି ହଇନ

ହଇନ ସଭେ ଅଫିସର ।।

 

ପରମ୍ପରା ସବୁ ହଏଜ୍ ଗୁଇସ ନ

ନି ମାନବାର୍ ଆଉ,

ତିଥି ବାର ନି ଜାନବାର୍

କଲା ଦୋଷ ଦହ ଆଉ ??

ସୁକାନ୍ତୀ ନାଏକ, ବାଲିଜୋରୀ

ଜଙ୍ଗଲ୍

ଯାହିଁ ଜଙ୍ଗଲ୍ ତାହିଁ ମଙ୍ଗଲ୍

ଇ କଥା ରହିଛେ ଜଗତେ,

ଗଛର୍ ମହିମା ଜାନିଗଲେ

ଇ କଥା କେ ଯିବ ପରତେ ||

ମୁନୁଷ୍ ନୁ ଧରି କୀଟ ପତଙ୍ଗ ଯାଏ୍ଁ

ଗଛ୍ ସବକର୍ ଆଏ ଜୀବନ୍,

ଜଙ୍ଗଲ୍ ବିନେ ଜଗତ୍ ନି ବଂଚେ,

ଜଙ୍ଗଲ୍ ଆଏ ଜାତୀୟ ଧନ୍ ||

ଜଙ୍ଗଲୁ ପାଉଛୁଁ କାଠ୍,ପତର୍,

ଲାଖ୍,ମହୁ,ଚାର୍ ମହୁଲ୍ ,

ଜଙ୍ଗଲ୍ ଦେଉଛେ ଚେର୍ ମୂଲ୍ ,

ମୁନୁଷର୍ ଜୀବନ୍ ଜୀବକାର୍ ମୁଲ୍ ||

ଅଙ୍ଗାରକାମ୍ଳ ବାୟୂ କେ ନେଇ

ଗଛ୍ ବନାସି ତାହାର୍ ଖାନା ,

ଗଛର୍ ପତର୍ ଛାଡସି ପାଏନ୍

ବାୟୂମଣ୍ଡଲ୍ କେ ଛାଡସି ଅମ୍ଳଜାନ୍ ||

ସେ ଅମ୍ଳଜାନ୍ ଶାଁଶେ ନେଇ

ବଂଚସି ଜୀବ୍ ଜଗତ ର୍ ଜାନ୍ ||

ଗଛ ର୍ ଧର୍ମେ ମେଘ୍ ବନସି ,

ଧରତୀ ପାଏସି ବର୍ଷା ପାଏନ୍ ||

ଖରା ଥୀ ତପି ଛଏଁରା କରସି

ଜଗତ୍ କେ ଦେସି ଶୀତଳ୍ ପବନ୍ |

ଗଛ୍ କେ କଟିଲେ ଛୁପିଲେ

କେଭେ ନାଏଁ କରେ ମନା ,

ସବୁ ଅର୍ଦଳି ସହି ଯାଏସି ,

କେଭେ ନି ଖୁଲେ ତାହାର୍ ଟୁଣ୍ ||

ଗଛ୍ କାହାର୍ ନୁ ନେଇ ନି ଶିଖି ,

ଜୀବନ୍ ଭର୍ କରି ଚାଲିଛେ ଦାନ୍ ||

ପର୍ ଉପକାରୀ ଗଛର୍ ଲେଖେଁ

ହାମେ ବନି ପାରମା କାଏ ମହାନ୍ ||

କାଏଁ ହେଲା ବନି ନି ପାରଲେ

ହାମେ ଗଛ ର୍ ଲେଖେ ମହାନ୍ ,

ଗୁଟେ ଗୁଟେ ଗଛ୍ ବଂଚାଇ କରି

ବଂଚାଇ ତ ପାରମା ନିଜର୍ ଜାନ୍ ||

ଜୟ ଜବନ୍ନାଥ |

ଶ୍ରୀ ଟୁକୁ ଚୌଧରୀ,ଗ୍ରା/ପ – ଚିଚିଆ,ଧର୍ମଗଡ,କଳାହାଣ୍ଡି

ପ୍ରିୟା ମୋର ଚମ୍ପାକନୀୟର

 

ପ୍ରିୟା ମୋର ପ୍ରୀତି ରାଣୀ ଘେନିବ ସ୍ନେହ ମୋହରି !

ପ୍ରେରଣା ଆଣିଛି ପ୍ରେମ ସମ୍ଭାର ହୃଦୟେ ଦେବ ଭରି !!

ପ୍ରତୀକ୍ଷା ଦିପାଳି ହୃଦୟରେ ଜାଳି ଚାହିଁ ରହି ଅଛି ମୁହିଁ !

 

ପାଛୋଟି ନେବି ମୁଁ ସାଦରେ ତୁମକୁ  ପ୍ରୀତି ଫୁଲ ତୋଳା ଦେଇ !!

ପ୍ରେମ ର ପୁଷ୍ପ କୁ ଛୁଇଁବି ବୋଳି ଆଜି ଭମର ସାଜିଛି ସାଦରେ !

 

ଆଖି କୁ ତୁମର ଦେଖି ହଜି ଯାଇଛି ଏ ପ୍ରେମ ସାଗରେ !!

କେମିତି ମୋ ହୃଦୟ ସେ ପଥ ହୋଇଛି , ସେ ପଥ ରେ ମୁଁ ପଥିକ ସାଜିଛି !

ପ୍ରେମ ପାଇଁ ମୁଁ ଜୀବନ ହାରିଛି , ତୁମ ଯିବା ବାଟରେ ମୁଁ ଅପେକ୍ଷା କରିଛି !!

 

ଅବୁଝା ମନ କୁ ମୁଁ ରାଣ ଦେଇଛି ,

ପ୍ରିୟା ମୋର ଆସିବ ଫେରି କଥା ଦେଇଛି !

ରାଣ ଦେଇ ପ୍ରିୟା ମୋର ଭୁଲି ଯାଇଛି !!

ତୃପ୍ତି ନାଏକ, ସୁନ୍ଦରଗଡ

କଲମ

 

ତୁ ମୋ ଚିରସାଥି,

ମନ ର ଭାଷା କୁ

ଝାରାଉ ନିତି ।

 

ନାହିଁ ତୋ ଠାରେ ,

ମିଛ କି ପର,

ତୁ ମୋ ପାଇଁ

ଶକ୍ତି ଭଣ୍ଡାର ।

 

ତତେ ଧରି ମୁଁ,

କାନ୍ଦେ-ହସେ,

ଅନ୍ତର ବେଦନା ,

ତୋ ଠାରେ ଭାସେ।

 

ଅସି ଠାରୁ ,

ତୋ ବଳ ବେଶୀ,

ଲୁହ ପୋଛି ତୁ ,

ଦେଉ ଖୁସି ।

 

କିଏ କହେ ତୋର

ନାହିଁ ସପନ,

ତୁ ମୋର ସବୁକିଛି

ମୋ ପ୍ରିୟ ” କଲମ” ।

ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)

ବରଷା ଆସିସେ, ବରଷା ଆସିସେ

ପାନି ବରଷିସ୍

ହାମର୍ ଗାଁ ତୁମ୍ଭର୍ ଗାଁ

ଝାର୍ ଜଙ୍ଗଲ୍ ପାହାଡ୍ ପର୍ବତ

ସହର ନଗର ସବୁଆଡେ

କାଏଲ୍  . . .

ଘିଡ୍ ଘିଡ୍ ଚଡ୍ ଚଡ୍ ରାଏତ୍ ସାରା ଝଁକେର୍

ଖେତ୍ ଖଲା ଥି ଜମ୍ ଯାଇସ୍ ପାଏନ୍

କଂକ୍ରୀଟ୍ ହଇସେ ଗାଁ କେ ରାସ୍ତା

ପଚର୍ ପାଚର୍ କାଦୋ ଚିଖଲ୍

ନି ହେବାର୍ ଆଉ ଆଗେକେ ଲେଖେ

ଫଟିକ୍ ଫଟିକ୍ ପାନି କେ ଧାର୍

ଖିଲ ଖିଲାତେ ବହଥେ ପୁରା

ସୋର୍ କରଲେ ଆଗେକ କଥା

“ଭାସିଯା ମୋର କାଗଜ ଡଙ୍ଗା”

ନି ଦିସବାର୍ ହେନ୍ତା କିଛି

ଛୁଆ ମନକେ

କାହାଁକେ ଆଉ ଖେଲା ଖେଲି

ମୋବାଇଲ ବାବା କରିସେ ବିଜି (Busy)

– – – – – – – – – – – – – – –

ବେଲ୍ ବୁଡିଆ

କିଟମିଟିଆ ଅନ୍ଧାର୍ ରାସ୍ତା

ଏକଲା ଦୁକଲା

ଛିନା ଛକାଥି ଡର୍ ଲାଗିହି

ଚିଁ ଚାଁ କେଁ କଟର୍ , ଝିଁ ଝାଁ ନାନା ଶବଦ୍

ଜୋର୍ ଜୋର୍ ରେ ସୁନାଥେ କାନେ

ବନ୍ଦ ହେବାର୍ ନା ନି ଲେବାର୍

କେଜାନି

କେନ୍ ଆଡେ ରହିନ୍ ଏତେ ପ୍ରାଣୀ

ସଭେ ଟାକେରିହିନ୍ କା ବରଷା ଲା !

ଗାଁ ଗହିଲି ଥି ଯଦି ଏତକି କଥା

ଜଙ୍ଗଲ୍ ରାସ୍ତାରେ, କହ ଲାଗିହି କେନ୍ତା ?

– – – – – – – – – – – – – – –

‘ଜଳ ହିଁ ଜୀବନ୍’ କହଥେଁ କିନି

ଘାସ୍ ପତର୍ ଏବେ ଦୁର୍ ଦୁର୍ ବଢିହି

ଆଁଠୁଏ ଜଂଘେ ମାଟିଆ ପାନି

ଢୁଡା ଖଲିଆ ସବୁ ଭରିହି

ଝିପିର୍ ଝିପିର୍ ବରଷା ରାତି

ବେଙ୍ଗୁଲି ନାନୀ ବିହା ହହି

ଆସିସ୍ ଯେନ୍ତା ବରଷା ମାସ୍

ନୂଆଁ ନୂଆଁ ଜୀବ ଦିହିଁ ଦେଖା

ପୋକ୍ ଜୋକ୍ ସାଁପ୍ ବିଛୁ

ସାବଧାନ୍ ରହ ମନ୍ତର୍ ଛୁ

ଗେଁତୁ ପୁଠି ଜିଆ ବାଏଁରା

ଖୁପସା ମୁଗରା କଁକରା ଗେଁଡା

ଉଭା ଜାଇନ୍ ଏଥର ଖେତକେ ମାଛ

ଜେଭେନୁ ଢାଲିନ୍ ଖେତେ ସାର୍

– – – – – – – – – – – – – – –

ଚାଷୀ ଭାଇକେ ଆଇସେ ବେଲା

ରୁପା କାଦୋ ଫଲ୍ହା ଜଗା

କାମ କରା ଲୋକ୍ ହଇନ୍ ଅଭାବ୍

ମେସିନ୍ କେ ବଲେ ହଥେ ଚାଷ୍

ଖତ୍ ଭୂଲା ଛାଡିନ୍ ସାର୍ କେ ମାଡ୍

ରୂଣ ଆନଲେ ବହୁତ ଟେ ଛାଡ୍

ଠିକ୍ ଟାଇମ୍ ରେ ନିହଏ ବରଷା

ଯାହା କରୁନ୍ ଇନ୍ଦର୍ ରଜା

କରୁଁ ଚାଷ ମନ୍ ଲଗାକେ

ସମିଆଁ ମରଡି ଜାହା ଭାଏଗେ

ବରଷା ଆସିସେ ବରଷା ଆସିସେ

ସବୁ ଭଲ୍ ଭଲ୍ ହେଉ ମାହାଁପୁରୁ କହୁଁ ସଭେ

ସୁଲହ ଅଣା ବରଷା ହେଉ

ଈବ୍ ନଦୀ ଥି ଧାର୍ ଆହୁରି ବଢୁ

ସୁବୋଧ ଚନ୍ଦ୍ର ପଟେଲ, ଝାରସୁଗୁଡା

ମୋ ଗାଁ ମାଟି

 

ଗାଁ ଟି ମୋର କାନନ ଘେରା

ନଈ  କୂଳରେ  ରହିଛି  ପରା

ତା  ଝାଟି  ମାଟି ଝରୁଛି ସଦା

ମୋର ନରମ ପାଦଟି

ଅପନ୍ତରା   ମୋ  ଗାଆଁ  ଟି  ।1।

 

ଅଶୋକ  ବନ  ଯଦି   ଦେଖିନ

ମୋ ଗାଆଁ ଆସି ଦେଖି ଯାଉନ !

ଭୁଲିବ  ତୁମ   ସକଳ   ଶୋକ

ଦେଖିଲେ ମୋର ପଲ୍ଲୀ ଟି

ଅପନ୍ତରା   ମୋ   ଗାଆଁ  ଟି  ।2।

 

ତାହାରି   ମାଟି  ଭାରି  ଚିକିଟା

ଟାଣିଧରେ ମୋ ଗୋଡ ଦୁଇଟା

ପଳାଇବାକୁ  ଦିଏନି  ଜମା

ସେଇପରା ମୋ ମାଆଁ ଟି

ଅପନ୍ତରା   ମୋ  ଗାଆଁ  ଟି  ।3।

 

ଶିରାବଣ  ରେ  ଧାରା  ବରଷା

ସାରେଗାମାପା  ରେପାଧା ନିଷା

ଶୁଣାଇ  ଗୀତ  ଶୁଆଏ  ମତେ

ସେଇ ପରା ମୋ ମାଆଁ ଟି

ଅପନ୍ତରା   ମୋ   ଗାଆଁ   ଟି  ।4।

 

 

ବି ଷ୍ଣୁ  ପ ଦ ନି ଶୃ ତ  ଜଳ  ରେ

କାର୍ତ୍ତିକେ ମୋ ଗାଁ ସିନାନ କରେ

ମାର୍ଗଶୀର ର  ରେ  ମନାଇବାକୁ

ମାଣବସା ଗୁର୍ବାର ଟି

ଅପନ୍ତରା   ମୋ ଗାଆଁ  ଟି  ।5।

 

ପଳାଶ ବଣେ ଲାଗଇ ନିଅଁ

ସେ ନିଅଁ ବଡ଼ ଆକର୍ଷଣୀୟ

ଗ୍ରୀଷମେ ଏହା ଚିରଦିନିଆ

ହେଲେ ନପୋଡ଼େ ମାଆଁଟି

ଅ ପ ନ୍ତ ରା  ମୋ  ଗାଆଁ   ଟି  ।6।

 

ନିର୍ମଳ   ତାର   ପାଣି  ପବନ

ଖୋଜେଁ ସହରେ ମୁଁ ରାତି ଦିନ

ଲକ୍ଷ ଟଙ୍କା ବିନିମୟେ ଚାହେଁ

ତଥାପି ମିଳେ ନାହିଁ ଟି

ଅପନ୍ତରା  ମୋ   ଗାଆଁ   ଟି  ।7।

 

ତାହାରି ବଣ ନୀଳ ନଭକୁ

ଶୁଣାଏ ବ୍ୟଥା ଖୋଳି ହୃଦକୁ

ତାର ସନ୍ତାନେ ଚାଲି ଯାଆନ୍ତି

ଛାଡ଼ି ତାର ପଣତ ଟି

ଅପନ୍ତରା  ମୋ  ଗାଆଁ  ଟି ।8।

 

ପେଟ ବିକଳେ ସନ୍ତାନ ତାର

ବିଦେଶ ଯାଏ ଛାଡ଼ି ମାଆର

ଦଦରା ଫଟା ପଣତକାନି

ନାଚାର ମୋର ମାଆଁ ଟି

ଅ ପ ନ୍ତ ରା  ମୋ  ଗାଆଁ  ଟି  ।9।

ମାଆଁଟି ମୋର ଗରିବ ବୋଲି

ପାଠୁଆ  ପୁଅ  ଯାଉଛି  ଚାଲି

ବିଦେଶ  ସେବା  କରଇ ଛାଡ଼ି

ନିଜର ସ୍ବାଭିମାନ ଟି

ଅ ପ ନ୍ତ ରା  ମୋ ଗାଆଁ ଟି  ।10।

 

ଶୟନ  କାଳେ  ଆଦ୍ୟ  ସପନେ

ମୋ ଗାଆଁ ଦେଖେଁ ତନ୍ଦ୍ରା ନୟନେ

ନାଚାରତା ମୋ ବୁଝାଇ କହେଁ

ବୁଝି ଯାଏ ମୋ ମାଆଁ ଟି

ଅପନ୍ତରା   ମୋ   ଗାଆଁ   ଟି  ।11।

 

ସହରୁ ଯାଏଁ ଯେବେ ଗାଆଁକୁ

ଭୂଲେ କର୍ମର  ଚାପ  ଗ୍ଳାନିକୁ

ସମ୍ମୋହିତ ହୋଇଯାଏଁ  ମୁହିଁ

ମାଆର ସେହି କୋଳେଟି

ଅ ପ ନ୍ତ ରା   ମୋ   ଗାଆଁ  ଟି ।12।

 

ତାହାରି ପାଣି ପବନ ମୋତେ

ପରିଚୟ ଯେ ଦେଲା ଜଗତେ

ତା ପାଦେ ପ୍ରଣିପାତ ହେବାକୁ

ହୃଦେ କହେ ମୋ ମନଟି

ଅ ପ ନ୍ତ ରା   ମୋ   ଗାଆଁ  ଟି  ।13।

 

 

Leave a Reply

Your email address will not be published. Required fields are marked *