ପ୍ରଜ୍ଞା ପ୍ରୟାସ – APRIL 2023

ତୃପ୍ତି ନାଏକ, ସୁନ୍ଦରଗଡ଼,ଓଡ଼ିଶା

ଚକାନୟନ୍

ଚକାନୟନ ଚକାନୟନ ଅଭିନନ୍ଦନ,
ଚକାନୟନ ଚକାନୟନ ଅଭିନନ୍ଦନ।

କେନେ ମଏଂ ଖୁଜହଁ  ତଲା,
ଯେ ହହି ସବୁଦିନ  ତୋର ଦର୍ଶନ,

ଏନ୍ତା ମଏଂ ଦିହଁ କାଲା,
ଯେ ତଏଁ ହେବେ ମଲା ପ୍ରସନ୍ନ ।
ଚକାନୟନ ଚକାନୟନ ଅଭିନନ୍ଦନ ।

ଦୀୟା, ଅଗରବତୀ, ଧୁପ୍  ଜଳାହାଁ,
ଲାଲଗନ୍ଧା ଫୁଲ୍, ଦୁବ୍  ଚଢ଼ାହାଁ,
କି ଲଗାଏ ଦିହଁ ଅବିର୍,ଚନ୍ଦନ ??
ଚକାନୟନ ଚକାନୟନ ଅଭିନନ୍ଦନ ।

ହଲ୍ଡି, କୁମକୁମ୍ କେ ଥାଲ ସାଜାହଁ।,
ଖିଚିଡି, କ୍ଷୀରୀ,ହଲ୍ଵାପୁରୀ ଭୋଗ ଲଗାହାଁ,
କି ତୋର ପାଦେ ଢ଼ାଏଲ୍ ଦିହଁ ଭକ୍ତି ସମର୍ପନ ??
ଚକାନୟନ ଚକାନୟନ ଅଭିନନ୍ଦନ ।

ପଇତା ପିନ୍ଧାହାଁ କି ଚାମର ଚଳାହାଁ,
ନଡ଼ିଆ, କେଲା, ଫଲକୋ ଲାଇ ଭାର ପଠାହାଁ,
ତୋର ଦୟା ନୁ ଯାହା ଆହେ,ସବୁ ତଲା ଅର୍ପନ୍।
ଚକାନୟନ ଚକାନୟନ ଅଭିନନ୍ଦନ ।

ଖଣ୍ଡୁଆପାଟ ସଙ୍ଗେ ତୁଳସୀ ମାଲ ପିନ୍ଧାହାଁ,
ଗଙ୍ଗାଜଳ ଥି ସ୍ନାନ କରାହାଁ କି ପଞ୍ଚାମୃତ୍ ରସ ପାନ କରାହାଁ ??
ସୁଖ,ଦୁଃଖ କେ ଭବସାଗର ନୁ ମୁକ୍ତ ହେଉ ଇ ଜୀଵନ୍ ।
ଚକାନୟନ ଚକାନୟନ ଅଭିନନ୍ଦନ,
ଚକାନୟନ ଚକାନୟନ ଅଭିନନ୍ଦନ ।


ପୁଷ୍ପଲତା ପଟେଲ, ରାଉରକେଲା

ମଉନାବତୀ ଗୋ !!

ଟିକେ ହସ ଟିକେ ଲୁହ
ମନ କଥା ଖୋଲି କୁହ
କହି ନ ପାରୁଛ ଯଦି ପ୍ରିୟା ମୋର
କାଗଜ ରେ ଲେଖିଦିଅ I

କାହା କଥା ଭାବ ନିତି
ଉଜାଗର ରହି ରାତି
ଛାତି ତଳେ କେତେ ଦରଦ ତୁମର
ଆଖିରେ ତ କଥା କୁହ I

ମଉନାବତୀ ଗୋ ତୁମେ
ମଉନେ ରହୁଛ କିଆଁ
ମଉନ ବ୍ରତ କି ପାଳିଛ ତୁମେ ଗୋ
ଇଶାରାରେ କହିଦିଅ I

ଜନମ ଜନମ ସାଥି
ଅଭୁଲା ଆମରି ପ୍ରୀତି
ଜାଣିଛି ଜାଣିବ ଏ ଦୁନିଆଁ ସାରା
ମୁହଁ ଖୋଲି କହିଦିଅ I

ବନାନୀ ବାଳା ନାଏକ, ସୁନ୍ଦରଗଡ଼

ବନ୍ଦେ ଉତ୍କଳ ଜନନୀ

ତୁହି ମା ଜନମ ଭୂମି  ପବିତ୍ର ଉତ୍କଳ ଭୂମି
ତୋହରି କୋଳରେ ଆମ୍ଭେ ହେଲୁ ଜନମ,
ତୋ ଅମୃତ ଫଳ ଖାଇ  ସୁଧା ସମ ଜଳ ପିଇ
ତୋ ପବନ ରଖି ଅଛି ଜୀବନ ଆମ ।
ଧନ୍ୟ ଧନ୍ୟ ଉତ୍କଳ ମାଟି

ତୋ ଚରଣେ ମଥା ମୋର ଯାଉ ଗୋ ଲୋଟି ।
ବଙ୍ଗ ଉପ ମହୋଦଧି ନିତି ତୋ ଚରଣ ସେବି
ଲୋଟି ଯାଏ ତୋ ଚରଣେ ଉତ୍ତାଳ ବିଚି,
ସାରା ଜଗତ ର ନାଥ  ମହାପ୍ରଭୁ ଜଗନ୍ନାଥ
ଉଭା ହୋଇ ଛନ୍ତି ତୋର କୋଳରେ ଆସି,
ରୂପ ସିନା ତୋ ଅପରୂପ,
ସୁସଜ୍ଜିତ ଚିତ୍ରପଟ ପରି ସୁରୁପ ।।

କେଦାର କାନନ ଭରା ସୁଶ୍ୟାମଳ ସୁରୁଚିରା
ପୁଣ୍ୟ ମହାନଦୀ ତୋର ହୃଦୟ ହାର,
ଅର୍କ କ୍ଷେତ୍ର କୋଣାରକ  ଜଗତେ ଅଟେ ବିଖ୍ୟାତ
ଧନ୍ୟ ଶିଳ୍ପୀ କୁଳ ଧନ୍ୟ ବିନ୍ଧାଣି ତାର ।।
ଲିଙ୍ଗରାଜ ହୋଇଲେ ଉଭା,
ବଢିଲା ଭୁବନେଶ୍ୱର କୀର୍ତ୍ତି ପ୍ରତିଭା ।।

ଗୋ ଉତ୍କଳ ! ତୋ କୋଳରେ   ଚିଲିକା କି ଶୋଭା ଧରେ
ଲକ୍ଷ୍ମୀ କ୍ରୀଡା ନିକେତନ ବୋଲି ବିଦିତ,
ପୁଣ୍ୟ ତୀର୍ଥ ବେଦବ୍ୟାସ  ଜଗତ ରେ ଯେଣୁ ଖ୍ୟାତ
ଶଙ୍ଖ କୋଇଲି ବହଇ ପଦେ ନିରତ।।
ବେଦବ୍ୟାସ ଜନମି ତହିଁ,
ସେ ଯୋଗୁଁ ପାବନ ସିନା ଉତ୍କଳ ଭୂଇଁ ।।

ସୁରେନ୍ଦ୍ର ,ସୁବାସ ବୀର, ସାମନ୍ତ ଚନ୍ଦ୍ରଶେଖର
ରାଧାନାଥ ଗୋପବନ୍ଧୁ ମଧୁସୂଦନ,
ବାଜିଆ,ବିର୍ସା ,ଲକ୍ଷ୍ମଣ, ଗଙ୍ଗା ଧର,ବଳରାମ
ଉପଇନ୍ଦ୍ର ,ଜୟଦେବ,ଶ୍ରୀ ଚଇତନ୍ୟ,
ପୁତ୍ର ତୋ ଫକୀରମୋହନ,
ତୋ କୀରତି ସ୍ୱର୍ଣ୍ଣକ୍ଷରେ କଲେ ମଣ୍ଡନ ।।

ଭାରତ  ସରସୀ ଜଳ ତା ମଧ୍ୟେ କଞ୍ଜ ଉତ୍କଳ
ବିକଶିତ ତୁହି ,କିବା ଲାବଣ୍ୟ ତୋର !!
ତିରିଶ ପାଖୁଡ଼ା ମେଳି  କେଡେ ରଙ୍ଗେ ଢଳି ଢଳି

ମଳୟ ପରଶି ଯାଏ ସୁରଭି ତୋର,
ପ୍ରଭୁ ପାଦେ ମିନତୀ ମୋର ,
ଅଖଣ୍ଡ ,ଅକ୍ଷତ ରହୁ ତୋ କଳେବର ।।

ଇଂ ରାଜ ବିହାରି ପାଣ୍ଡେ ,ବେହେରା ମାଳ,ଝାରସୁଗୁଡା

ହୁଳିକେ ଅଭିନନ୍ଦନ

ଦେହେଁଲା ଯାକର  ରଂଗେ ଭଏର୍ ଯାଉ,

ରଂଗିନ୍ ହେଉ ସପନ୍,

ରଂଗକେ ତିହାର୍ ହୁଳିକେ ଲାଗିର,

ସଭଲା ଅଭିନନ୍ଦନ୍ , ରଂଗକେ- – – ।

ଫଗୁନ୍ ମାସକେ ମହୁଲି ଧୁକା,

ମନେ ଭଏର୍ ଦେଉ ନିଶା,

ସଂଗ ସାଥି, ମିତ୍ ମିତାନକେ ସଂଗେ,

ବାନ୍ଧ ହେଉ ଭାବ ଖାସା,

ଏନତା ଭାବଲା ଲାଗେ ରହୁ ଯେ

ସୋର୍ ପଡବୋ ହରୁଖନ୍, ରଂଗକେ — ।

ହଁସ୍ ହଁସ୍ ମୁହୁଁ, ଗୁଦ୍ ଗୁଦି୍ ହଁସିଥି,

ଚଳତ୍ରହୁ ଇ’ଜୀବନ,

କିଏ ଜାନେ ?କେନ ବେଳା ଘଡିଥି,

ଟିକ୍ ଟିକି୍ ହ’ଯାହି ବନ୍ଦ,

ମୁନୁଷ୍ ଜୀବନ ପାଏନି କେ ଫୁଟକା,

କାମେ ନି ଆସେ ଧନ୍, ରଂଗକେ- – -।

ବେଭାର, ସଭାବ ଭଳ୍ ମଜାର ରହୁ,

ଭଳେ ଚଳତ୍ରହୁଁ ଦିନ୍,

ଏନତା ବତରେ ନିଜେଲା ଗଢୁ ଯେ,

ସୋର୍ ପଡବୋ ହର୍ ଦିନ୍,

ମହାଁ ତୁର୍ଲଭ  ମନୁଷ୍ ଜନମ ,

ସତ୍ କାମେ ରହୁ ମନ୍, ରଂଗକେ- – – ।


ନିରୂପମା ପଟେଲ, ରାଉରକେଲା

ଶିଳ୍ପୀ

ଧନ୍ୟ ଧନ୍ୟ ରେ ଶିଳ୍ପୀ କୂଳ

ନିଜ ସୃଜନ ଶକ୍ତି ର ଦେଇ ପରିଚୟ

କଳା ଶିଳ୍ପ ରେ ପ୍ରକାଶ କରାଇ

କଳା ର ଉକ୍ତର୍ଷତା ଦେଖାଇ

ଓଡିଶା ର ନାଁ ରଖିଲ ଉତ୍କଳ। ୧

 

ସତ ରେ ସୁନ୍ଦର ଆମର ଜନ୍ମଭୂମି

ସୁନ୍ଦର ଆମ କଳା ସଂସ୍କୃତି

ସୁନ୍ଦର ଆମର ଶିଳ୍ପୀ କୂଳ ର କାରିଗରି

ଧନ୍ୟ ନବ ସୃଜନକାରୀ ଶିଳ୍ପୀ ଗଣ

ତୁମେ ହିଁ ବଞ୍ଚାଇ ରଖିବ ଉତ୍କଳ ର କଳା। ୨

 

ସାଧାରଣ ବାଲି,ଗୋବର,ମାଟି କୁ

ନେଇ ଗଢୁଛ ତୁମେ କେତେ ଯେ ଦିଅଁ

ହାତୀ,ଘୋଡା,,କଇଁଛ,ହଂସ,ହଂସରାଳୀ

ଦେଶୀ ଅଠା ଭାବେ ବ୍ୟବହାର କରି ତୁମେ

ଅଦରକାରୀ କାଗଜ କୟାଁ ମଞ୍ଜି ଓ କଇଁଥ ଅଠା। ୩

 

ସବୁଦିନ ପାଇଁ ଜୀବିତ ରହୁ ତୁମ

ନବ ଚିନ୍ତାଧାରା ,ନବ ଚେତନା,ନବ ସୃଜନଶୀଳତା

ନୀଳାଚଚଳବାସୀ କାଳିଆ ଠାକୁର ପାଖେ

ହାତ ଯୋଡି କରେ ମୁଁ ଏତିକି ଅଳି

ଯୁଗ ଯୁଗ ପାଇଁ ବଞ୍ଚି ରହୁ ତୁମ ସୃଜନଶୀଳତା। ୪


ପୁଷ୍ପରାଣୀ ପଟେଲ, ସହକାରୀ ଶିକ୍ଷୟତ୍ରୀ,ସରକାରୀ ଉଚ୍ଚ ବିଦ୍ୟାଳୟ,ସେକ୍ଟର -16, ରାଉରକେଲା

ତୁମ ଗାଁ

ସ୍ୱପ୍ନମୟ ଗାଁଟିଏ

ପବନରେ ତା’ର,ମିଠାମିଠା ବାସ୍ନା

କହିଯାଏ କଥା କେତେ ମନଛୁଆଁ…!

 

ତା’ ନଈପାଣି ଛଳଛଳ,

ଡାକେ ମୋତେ ହାତଠାରି..

କୁହେ ଛୁଁ..ଥରେ ଛୁଁ..ମୋତେ ଛୁଁ..

ଯେବେଥରେ ଛୁଇଁଦେଲି

ଲାଗିଲା ଯେମିତି ସତେ,ତୁମ ବୋଉର

ପଣତକାନିରେ ମୋ ମୁହଁ ପୋଛିଦେଲି…।

 

ତୁମ ଗାଁ ଆମ୍ବତୋଟା

ଥିବେକେବେ ତୁମ ଖେଳସାଥୀ

ଲାଗନ୍ତି ଆଜି କିନ୍ତୁ ମୋ ସଖି ପରି…

ତୁମ ଛୁଆଁ,ତୁମ ପ୍ରିତୀ

ରଙ୍ଗିଯିବ ଦେହେ..

ଥରେ ତାଙ୍କୁ ଦେବି ଯେବେ ଛୁଇଁ..।

 

ତୁମ ଗାଁ ଅଙ୍କାବଙ୍କା

ବାଟଚଲା ରାସ୍ତା…ଟାଣୁଛନ୍ତି ମୋ’ତେ..!

କୁହନ୍ତି କାନରେ,ଆ…ଥରୁଟିଏ ଆ..

କାହିଁକି କହନ୍ତି,ଏମିତି ଫିସଫିସ କରି !

 

କାହିଁକି ? ମୁଁ କ’ଣ ଯିବି?

ଯିବି ତେବେ,ନେବ ଯେବେ ମୋ ହାତଧରି…

ସତ ମୁଁ କହୁଛି,କଥା ମୁଁ ଦେଉଛି

ଡାକିଦିଅ ଥରେ…..

 

ସେଇ ପାଣି,ପବନ..ପୁଣି ଆମ୍ବତୋଟା ନଈ

ସବୁହେବେ ମୋ’ର..ଆଜୀବନ ପାଇଁ ।

କେବଳ ସ୍ମୃତିରୁ ନୁହେଁ,ସ୍ୱପ୍ନରୁ ବି ପୋଛିଦେବି

ଫେରିବାର ସବୁ ପଦଚିହ୍ନ….

ତୁମ ଗାଁ ମଶାଣିରେ ଜଳିବ ମୋ’ ଜୁଇ….. ।।


ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)

ଚଲ୍ ଯାବୋ ଚଲ୍

ବର୍ :

ସୁନଥସ୍ କା, ଏ ସୁନା

ଚଲ୍ ଯାବୋ ଚଲ୍ ଗଡ (ସୁନ୍ଦରଗଡ) ଲା

ଘିନବୋ ଶାଢ଼ୀ ଗୁଟେ,

କନିଆଁ :

ଥାକି ମାଡିସେ ଶାଢ଼ୀଗରାତ ଗା

ଏଖେନ୍ ରହୁ ପଛେ ଘିନବୋ ନ

କା କରହଁ ଶାଢ଼ୀ ଏତେ ! (୧)

ବର୍ :

ହଉ ଠିକ୍ ଆହେ, ଚଲ୍ ତେନେ ଯାବୋ

ଚାଟ୍ ଚୁଟି ହେଲେ ଖା’କେ ଆସବୋ

ରନ୍ଧା ରୁନ୍ଧି ବନ୍ଧକର୍ ,

କନିଆଁ :

ଅବଡ୍ ଜବଡ୍ ଖାଏଲେ ବାହାରେ ଗା, ପେଟ ହହି ଗଡବଡ୍

ଖାଏଲେନ ଚଲେ କହେଲା ଲେଖେ,

କା’ଯେ କରଥ ହର୍ ବର୍ ? (୨)

କା କରତିନ୍ ଆଉ

ମୋବାଇଲ୍ ଧରକେ ବସିନେହେଁ ବାବୁ

କରିନ୍ ବେଟିଲା ମେସେଜ୍ ଗୁଟେ,

ଟିଉସନ୍ ନୁ ବେଟି ଆ’କେ କହିସ୍

ମା ଗୋ ମା ଚଲ୍ ଯାବୋ ଚଲ୍

ଖାବୋ ପିଜ୍ଜା ସଭେ (୩)

ଏକଲା ତ‌ଏଁ  ଯା, ବାପା ସଙ୍ଗେ ତୋର୍

ବଡା ହଥେ ଉଁକର୍

ବାହାରେ ଖାଏବାର୍ ମନ୍ ,

ତଏଁ ନିଗଲେ ମଏଁଭି ନିଯାଁ

କହିସ୍ ଗେଲ୍ହେଇ ବେଟି

ଦୁଃଖ ହଯାଇସ୍ ଅକର୍ ମନ୍ (୪)

ବାପା ରହିନ୍ ଆଗରୁ ରେଡି

କୁଇସ୍ ମୁଇସ୍ ହ’କେ, ରେଡି ହଇନ୍ ମା

ମିଷ୍ଟର୍ ପଁ ପଁ କରିନ୍ ଗାଡି,

ପଛକେ ସିଟଥି ବସିନେହେଁ ମେଡମ୍

ବାପା ଆଉ ବେଟି ବଡା ଖୁସ୍ ଟା

ହତିରିହିନ୍ ଠରା ଠରି (୫)


ଶୁଭମ ନାଏକ, ତସଲାଡିହି , ସୁନ୍ଦରଗଡ଼

ମହୁଲ ଲାଗି ଝାର ଜଲୁଛେ ମହୁଲି ଲାଗି ମୁନୁଷ

ବୁଢ଼ା ଡଂଗରକେ ଲାଗି ବଡେଟେ ଗାଁ ମୋନୋହରପୁର , ପାଖା ପାଖା ଛଅ ଶହ ଘର ଲୋକ ରହେସନ । ଜଟିଆ ମୁଣ୍ଡା ସେ ଗାଁର ଗଁତିଆ ଆନ । ଖାପ ଖାପ ଏକର ଏକର ପୂରୁବନୁ ପଶ୍ଚିମ ତକ ଯାହିଁ ଦେଖଲେ ପରଜା ଭିରେ ତାଁକର ଜମିନ ଅଛେ । କେନ କାଲୁ ଜୁଗୁ ବାପ ଅଜା ଅମଲନୁ ପାଇଛନ ଜମି ପଟା । ଆଘ ତାଁକର ପୁରଖା ବୁଢ଼ା ମନେ ଚାଷ ବାସ କରୁଥିଲେ ମାଏନ ମନସା । ଇ ଅଠର ଖଣ ମୌଜାର ଲୋକ ଖାଏଲେ ବୁହିଲେ ନାଇଁ ସରେ ହେତକି ଅମଲ କରୁଥାନ । ଜଟିଆ ବାବୁର ବା’ ଘଟିଆବାବୁ ଯେତେବେଲେ ଗଁତିଆ ଗିରି କରୁଥିଲେ ଇ ଆଖର ପାଖର ଗୁଟା ଇଲାକାର ଲୋକକେ ପଏସା ପତର ସାହେଜ ସହଯୋଗ କରୁଥିଲେ । ସୁବିଧା ଅସୁବିଧାଥି ସାହା ପଟ ହେଉଥିଲେ । ମାହାପୁରୁ ବାଗିର ମୁନୁଷଟେ । ଗାଁର ଲୋକ କଥା ପଡଲେ କହେସନ । ସେ ଦିନେ ଝାରନୁ ଫିରଲାବାଟେ ଅହଲ୍ୟା ଟୁକେଲକେ ଭିଲ୍ ଠୁଂଗ୍ ଠୁଂଗିଏନ୍ ବୁଢ଼ୀ କହୁଥିଲା ” ନାଆଁଟା ମାଲିକର ଘଟିଆ ଥିଲା ଯେ କାଏଁ ହେଲା କବାରଟା ତ ନୁକୋ ଥିଲା , ବୁଦ୍ଧି ଅକଲଥିଲା । କରକରିଆ ଥାଆନ ଆମର ଗଁତିଆ । ”

 

“ଆରୁ ଇହାଦେ ଆମର ନୂଆଁ ଗଁତିଆ ପିଲା ଲେଖେ ନିସତିଆ ଅଲସୁଆ ଅଲାଜୁକଟା କାହିଁର । ଘିଚିଖିଆ ଲୁଭିଆ ହଁକରିଆ ଛି ….ଛି ….ଛି ବାପ ଅଜାର ନାଆକେ ମାଏଟଥି ମିଶେଇଦେଲା ଇ ସଲା ।”

 

ରହରେ ତୁନ ପଡ ହେନତା ନାଇଁ କହ ଟପୋ ଟପୋ କହି ଆନୁଛୁ ଯେ । ଗଛ ଖୁଂଟ ଚରେ ଚିରଗୁନ ଭୂତ ପେତେନ ମାନକର ଭିଲ୍ କାନ ଥିସି । ଆଲ ମାଲ ଶୁନି ଶୁନା ପକାଲେ ଗଲା । କିଏ ଗୁଟେ ଲଗେଇ ଦେଲା ଗଲା । ତୁନ୍ ପଡ …ତୁନ୍ ପଡ …ବଲି କହେଲା ଧାଂଗରି ଟୁକେଲ ନାତେନ ଅହଲ୍ୟା ଠୁଂଗ୍ ଠୁଂଗିଏନ୍ ବୁଢ଼ୀକେ । ଗାଁ ମୁଡିର ଭଦରା ପାରହେଇ ଝାର ଯାଇଥିଲେ କାଠ ଆନିକେ । ବୟସ ପଁଏଷଠିକି ସତୋର ହେବା । ଠୁଂଗ୍ ଠୁଂଗିଏନ୍ ବୁଢ଼ୀକେ ଫିରଭି କିଏ କହେବା ବୁଢ଼ୀକେ ଏତେ ବରଷ ହେଲାନ ବଲି ! ଦେଖଲେ ଜନା ନାଇଁ ପଡେ ଉପରୁ ଆଧାର କାର୍ଡ କି ଭୋଟର ଆଇଡି ଦେଖଲେ ଜାନି ହେବା ତାର ସଠିକ୍ ବୟସ । ଫିରଭି ଆକାଭୋତ ହେସନ ବୁଢ଼ୀକେ କବାର କରୁଥିବାର ଲୋକ ଦେଖି । କେନେ ଭରିଛେ ଏତକି ଜାଂଗଲ ବଲି ଆସରିଜ ହେସନ୍ ତାର ସାଂଗେ ଝାର ଯାଇଥିଲା ଗାଁ ଘରର ଧାଂଗରି ମାଇକିନିଆ ମାନେ । ସମକର କାଠ ବୁଝାନୁ ବୁଢ଼ୀର କାଠ ବୁଝାଥି ଜହ କାଠ ଯେନତା ହେଲେ ଥିସି ।

 

ଆଇ ନାତେନର ଭାଜୁର କୁଟୁରଥି କେତେବେଲେ ଘର ବାଟ ମୁହୁଁକେ ଦୁହେଁ ଅମରି ଗଲେ ଜନା ନାଇଁ ପଡଲା । ମାଛି ଅନ୍ଧରିଆ ହେଇ ଆସୁଥାଏ । ଝାଡ୍ ………ଝୁର୍ ………କରି ତଲେ ପଡଲା ଅହଲ୍ୟା ମୁଡେ ବୁହିଥିବାର ବୁଝା । ମଝା ଦୁଆରେ ବୁଝାକେ କଚଡେଇ ଦେଲା । ବୁଢ଼ୀ ବୁହିଥାଏ ନ ବୁଝା । ଅହଲ୍ୟା ଗଲାଆରୁ ଟିକେ ଉତରେଇ ଲାଗଲା । ରୋଡ଼ର ଇ ପାଖ ସେ ପାଖ କୁରିଆ । ଠୁଂଗ୍ ଠୁଂଗିଏନ୍ କହୁଥିଲା ଗୋଡ଼ ହାଁତ ଧୁଇ ଧୁଇ …… ” ଏ ନାତେନ ଆଏବୁରେ ଥକି ଲାଗୁଛେରେ ଚଏତୁ  ଘର ପାଖୁ ଘାଏ ବୁଲି ଆଏମା । ” ଚଂଗ୍ ଚଂଗି ନାତେନ ମୁହୁଁନୁ ” ଛୁଛା ଫସକାଥି ବୁଲି ଗଲେ ଖାଲି କିଏ ଯିବା ଗୋ ମା …..ଗିଲଠେ ଗିଲାସେ ପିଆବୁ ବେଲେ ବାହାରମି । ”

 

ବୁଢ଼ୀ କହେଲା ହଇରେ ସାଲି ……. ଘୁଡା ମତୁ ……. ମତୁଆଲେନ କହିଥିତା କି କାଣା ଯେ କିଏ ଯାନେ , ଆଗଦି ଆରୁ ବୁଢ଼ୀ କିଛି ନାଇଁ କହେଲା । ଇ ସମିଆଥି  ତାର ନାତି ଟୁଇଁଚୁ ବାଇ ଗୋ …. ବାଇ ଗୋ …. କଥେନ ନାଇଁ କହିଦେଉ କାଏଁ ବଲି ଠୁଂଗ୍ ଠୁଂଗିଏନ୍ ଆଇର ଟୁଣ ଶୁନଲାକେ ଘରନୁ ରଡି ପକାତେଲ କୁଦନୁ ଆସଲା । ବୁଢ଼ୀର ମନ ଯେ ଟୁକ୍ ଟୁକ୍ ଶୋଷ କରୁଛେ କେତନି କେତେ । କାଣା କରସି ଠୁଂଗ୍ ଠୁଂଗିଏନ୍ ବୁଢ଼ୀର ମୁଡେ ବୁଦ୍ଧି ନାଇଁ ଢୁକବାର। କେନତା କେନତା କରି କହି ପାରଲା ଯା ପୁତା ଯା ପାଠ ପଢବୁ ଯା । ପାଠ ପଢି ସାରବୁ ଆରୁ ଶୁଇଲା ବେଲେ କହିଦେମି ଶୁନବୁ । ଇହାଦେ ଝାରୁ ଆସୁଛେଁରେ ବା …….ଥକି ଯାଇଛେଁ ପାଠ ପଢବୁ ଯା ।

 

ବାଟମୁହେଁ ଠାଡ ହେଇ ନାତେନ ଅହଲ୍ୟା ଆଁ ଫାରି ରଡୁଥାଏ ଏ ….ବାଇ …. ବାଇ …. ଗୋ ….ଝଟ୍ ଆ ….ଗୋ …. ଆର ପାଖୁ ଆବାଜ ଆସଲା ପଛ ବାଟୁ ବାହାରୁଛେଁ ରେ ଯାଉଛେଁ ରେ ଯାଉଛେଁ ….

 

କିଛି ଦୁରିଆ ଗଲା ଉତାରୁ ବଡେନି ବଡେ ମହୁଲ ବୁରେଇ । ଶହେକି ଦୁଇଶହ ଗଛ ହେବା । ବିରାଟ ବିରାଟ ମହୁଲ ଗଛ । ଡେଂଗ୍ ଯେନତା ରୋଟ୍ ହେନତା । ଠାଡ ହେଇଛନ କାୟା ମେଲେଇ କରି । ସତେ ଯେନତା ଶୁନଉଛନ ଇ ମାଟିର ବ୍ୟଥା କଥା କବିତା ମାନକେ ଆକାଶକେ । ଚିଁ ….ଚାଁ …. ଚିଁ …. ଚାଁ …. ଶବଦ । କଲିଆ ମିଶ ମିଶ କୁଲ୍ କୁଲ୍ ଅନ୍ଧାର । ବେଲ ବୁଡି ସାରିଥିଲାନ କେତେବେଲୁ । କୁଟୁମ ବସିଆ ଯୁଆନ ସିଆନ ସଭେ ଢୁକି ଦେଇଥିଲେ ନିଜର ନିଜର ବସା ଭିତରକେ । ପରା ମଝି ଧରସାଥି ଖାଲି ଚାଲି ଯାଉଥାନ ଅହଲ୍ୟା ଆରୁ ଠୁଂଗ୍ ଠୁଂଗିଏନ୍ । ବୁଢ଼ୀର ପଅଁରରା ଫର ଫର ମୁଡର ବାଲ । ରାଏତ ସମିଆଥି ଜନକରାତି ଅକଲିଆ ମୁନୁଷଟେ ଦେଖଲେ ଡରି ମରବା । ବୁଢ଼ୀ ଦିଶୁଛେ ଅଜବ ଗଜବ ଭୂତକି ପେତେନ ମେତାର । ଅହଲ୍ୟା କହୁଥିଲା ” ଝାଏଁ ଝାଏଁ ଚାଲ ଗୋ ଚଏତୁ ଶୁଇ ଶୁଆ ପଡବା । ରରେ ନାତେନ ଯାଉଛେଁ ବୁଢ଼ୀ ଲୋକ ଆରୁ କେତେ ଆଁଟେ ଉସରାମି ” ।

“ଏନତା ଚାଲି ଚାଲବୁ ବେଲେ କେଭେ ପାରହେମା ଇ ବୁରେଇ କହ ତ ? ତେହେରୁ ଯାଇ ଫେର ଚଏତୁର ଘର ପୁହୁଁଚିମା । ତୁଇ ତ ବୁଡାଲୁ କେତେବେଲେ ପୁହୁଁଚିମା ଯେ ! ”

 

“ପୁହୁଁଚିମାରେ ଦମ ଧର କିରଲା ଗଗା ନାଇଁ କର ବୁଝଲୁ ଅସକଟିଆ ବବା ବାହାରବା ତୁନ ପଡ । ” ଅହଲ୍ୟା କିଛି ବୁଝି ନାଇଁ ପାରୁଥାଇ ଠୁଂଗ୍ ଠୁଂଗିଏନ୍ ବୁଢ଼ୀର କଥା ବାର୍ତ୍ତା ।

 

” କାଣା କାଣା କହୁଛୁ ଗୋ , ମୁଇଁ କିଛି ନାଇଁ ବୁଝବାର ? ” ” ଆରେ ଥେଥି ଭୂତ ଡରାବା । ” ଅହଲ୍ୟାକେ ଭୂତ ପେତେନ ଟଁଢେଇ ଟାମନ ଇସବୁ ମହା ଡର । ନାଆଁ ଶୁନଲାକେ ପେସାବ କରି ପକାବାର ବେଲନି , ଡରେହିଟା ଆଏ । ଦିହିଁର ବାଲ ମାନେ ଠାଡ ହେଇଗଲାନ, ଠୁଂଗ୍ ଠୁଂଗିଏନ୍ ର କଥା ଶୁନି । ଟିକେ ଦୁରେ ଦୁରେ ଚାଲୁଥିଲାଟା ଅହଲ୍ୟା ଆରୁଟିକେ ବୁଢ଼ୀ ପାଖକେ ପଲେଇ ଆଏଲା । ଡ଼ରହେ ଗହଦି ଘୁମରି ଗଲାନ । କହୁନ କହୁନ କହି ପକାଲା ” କେନ ଭୂତ ଗୋ ? ” କହୁଛେଁ ଶୁନ ” ଘଟିଆ ଗଁତିଆର ବା’ ଅସକଟିଆ ଗଁତିଆ । ଗଁତିଆ ଥିଲେ ଭିଲ କାଏଁ ହେଲା ବଡେଟେ କମିହାଁଥିଲା । ପୁରୁଗ୍ ପୁରୁଗ୍ ଧାନ କମାଏ । କବାରି ମାନକର ସାଂଗେ ହଲ ଧରେ , ଧାନ ବିହିଡେ , ଧାନ କାଟେ , ଭାରଥି ଧାନ ବୁହେ ବାହାଲ ଡୁଲିନୁ ଘରକେ । ଦାଇଁ ଖେଦେ ଧାନ ମଡାଏ , ଧାନ ସଁଖଲେ ପୁରୁଗ୍ ବାନ୍ଧେ । ବସି ନାଇଁ ରହୁଥିଲା ବୁଢ଼ା ଘଡେ ହେଲେ । ଚାଷ ବାସ ଗଛ ଖୁଂଟକେ ବଡା ଭଲ ପାଏ । ଖୋବ ସଉକ କରେ ପୁଓ ଝି ମେତାର । ତାର ଲାଗି ସେ ଜିଇଁଥିଲା ବେଲେ ତାର ପୁଓକେ କହିଥିଲା । ” ମତେ ମହୁଲ ବୁରେଇନେ ଗଖା ଗଛତଲେ ମାଏଟ ଦେବୁବଲି ” । ” ତାର ପୁଓ ଘଟିଆ ହେତିର ଲାଗି ହେ …. ମହୁଲ ଗଛତଲେ ତୁପିଛେ ବୁଢ଼ାକେ । ଇ ଯେତକି ମହୁଲ ଗଛ ଦେଖୁଛୁ କିନି ଅଧାନୁ ବେଶୀ ତାର ଜଗାଲା ଆଏ । ତାକର ଦେନ ଆଏ ମୋନୋହରପୁରୁ ଗାଁକେ । ”

 

” ଏ ବୁଆ ଏତକି ଗଛ ଅସକଟିଆ ବୁଢା ଜଗେଇଥିଲା । ” ଅହଲ୍ୟାର ମୁହୁଁନୁ ବାହାରି ଗଲା । ଫେର୍ କହେଲା ” ଏତେ ଏତେ ମହୁଲକେ ବୁଢ଼ା କାଏଁ କରୁଥିଲା ଗୋ ?”

 

“ଗେଜିଟାଉ କାଏଁରେ ବୁଢ଼ାର ଖାପ ଖାପ ଜମିନ , ଶ ….ଶ …. ଗାଏ ବଲଦ । ପୋଡ ଭଏଁଶ ସବୁ ହଜମ କରିଦେଉଥିଲେ , ତେହେରୁ ଭୁତିଆର ଗଦା ଗଦା କାମ କବାର କରି ଭଟାନୁ ଥକି ଆସଲେ ମହୁଲି ପିଉଥିଲେ । ସରି ଯାଉଥିଲା ବଛର ଗୁଟେକର ମହୁଲ । କାହୁଁ ପାଏବୁ ଆରୁ ମହୁଲର ମହକ । ଆରୁ ଇହାଦେର ଆମର ନିସତ ଗଁତିଆ କରମ କୁଢିଆ , ଜଟିଆ । କାମ କବାର କିଛି ନାଇଁ । ଗାଁ ମାଆ କଥା କିଛି ବୁଝବାର ନାଇଁ । ଲୋକ ମାନକୁ ସବୁ ଦେଇ ଦେଇଛେ । ଟୋଲ ମହୁଲ କିଏ ଉଢଉଛେ ତ ଉଢଉଛେ । ବିକଲେ ଭାଂଜଲେ ଗଁତିଆର ସଂମ୍ପତ୍ତି ଭାବି ଦୁଇ ପଏସା ଦେଉଛନ ନାଇଁ ହେଲେ ନାଇଁ । ସେ ମାନେ କାଏଁନ ଗଁତିଆର ଧରମେ ଖାଉଛୁଁ ବଲି ଘରକେ ଆନିଦେତେ ।ଉଲଟିଆ ଗଁତିଆ ଯାଉଛେ ଆରୁ ପରନ ପଡିଛେ । ଦିନ ଭଏରଥି ଗିଲାସ୍ ଚାରେ   ମାରଲେ ହେଲା । ମଦୁଆ ଗାଡସୁଆ । ”

“ସତ କହୁଛୁ ଗୋ ତୁଇ କହେଲା ଅହଲ୍ୟା । କେନତା ହେବା ଯେ ଆମର ଗାଁଟା , ପିଚୋନୁ ରୋଟ୍ ତକ ସଭେ ପହଁଟିଲେନ ଗୋ ଖାଇ ପିଇ । ବରବାଦ ହେଇଯିବା ଗୋ ଆମର ଗାଁ । ” “କେନତା ହେବା ଯେ ଭଗବାନ ଜାନବା ।” ତୁନ ପଡ । ଆଦେ ଦେଖ ପୁହୁଁଚିଲା ଚଏତୁର ଘର । କଥା କଥାଥି କେତେବେଲେ ପଲେଇ ଆସଲା ଚଏତୁ ଦଦାର ଘର ଅହଲ୍ୟା ଜାନି ନାଇଁ ପାରଲା !

 

ଠୁଂଗ୍ ଠୁଂଗିଏନ୍ ବୁଢ଼ୀ କହେଲା ” ଦେଖ ଚଏତୁର ଘର । ତାର ମାଇକିନିଆ କେନତା ଲିପି ପୁଛି ଘର ସଫା କରିଛେ ଯେ , ଢୁକ୍ ଜଲଦି ଭିତର ଢୁକ୍ । ”

 

ଟଁଟିର ଶୋଷକେ ଅଟକେଇ ନାଇଁ ପାରୁଥାଇ ଦୁଇ ଜଣ ବଦ ବଦାନୁ ଢୁକିଗଲେ ଭାଟି ଭିତରକେ । କେହି ନାଇଁ ଶୁଇଥାଇ । ଚଏତୁ ଘରେ ତାର ସିଆନି ଗ୍ରାହାକ ମାନକେ ମହୁଲି ପରସୁଥିଲା । ଗିଲାସେକେ କୁଡେ ଟଂଗା । ଚଏତୁ ମାଲନେଇ ଭଟାକେ ଯାଇଥାଏ ଯେ ନାଇଁ ଫିରିଥାଇ ଘରକେ । ଠୁଂଗ୍ ଠୁଂଗିଏନ୍ ବୁଢ଼ୀ ଆର ଅହଲ୍ୟାକେ ଦେଖି  ମଦୁଆ ମାନେ ଟିକେ ତରା ଆଡକେ ପଲାଲେ । ଚଏତୁର ସିଆନି ସୁଲତା ଦୁଇଟା ଗିଲାସଥି ବାଢିଦେଲା ଗିଲାସ୍ ପୁରୁତୁନୁ ଦୁଇ ଗିଲାସ୍ ଫ୍ରେସ୍ ମହୁଲି । ଆଉ ବ୍ରଏଲର୍ କୁକୁରାର୍ ପୁଟା ଭଜା ସରଗି ପତର ଦନାଥି ଦୁଇ ଦନା । କେନତା କରି ଟଁଟି ଦି ସଲ୍ କିନା ପଲେଇ ଗଲା ପହିଲ ଖେପର ଦାରୁଟା ଜନା ନାଇଁ ଗଲା । ଅହଲ୍ୟା ମୁହୁଁଥି ପୁଟା ଭଜା ଖଣେଁ ଛିଆଇଛେ କି ନାଇଁ ଆରୁ ଠୁଂଗ୍ ଠୁଂଗିଏନ୍ ବୁଢ଼ୀ କହେଲା  ” ଆନରେ ସୁଲ ଆଉ ଗିଲାସେ ଦେ ” । ସୁଲତା ନୂଆଁ ରନ୍ଧା ହେଇଥିବାର ସଲିଟ୍ ମାଲଟା ଢାଲବାର ମୁଲ କରିଥିଲା କି , ବାହାରୁ ଆବାଜ ଆସଲା । ଦାର୍ ……ଧୁରୁସ୍ …….. ଘୁନୁନ୍ ……ଘୁନ୍ ….. ମଦ ପିଉଥିଲେ ଭିଲ୍ ବନେ ନିଶା ନୁହେଁ ଚଢେ ଅହଲ୍ୟାକେ । ତାକେ ଲାଗଲା କିଏ ଗୁଟେ ….. କିଏ ଗୁଟେ ବାହାରେ ସାଇକେଲ ସାଂଗେ ହିଟି ପଡଲା । ସୁଲତା ଜାନି ସାରିଥିଲା ଇଟା ତାର ଗୁସିଆଁ ଚଏତୁ ଆଏ ବଲି । ମଦ ଢାଲି ସାରଲା ଉତାରୁ ରାଗେ ଠଡ ଠଡେଇଗଲା , ଗଲା ଭଟା ଆଡକେ ।

 

ସୁଲତାର ମୁହୁଁନୁ ” ନାଇଁ ପିଇ କହେଲେ ବୁଝସୁ ବାଗଧରା , ନିଜେ ତ ମରବୁ ମରବୁ ମତେ ଭି ଆରୁ ଶାନ୍ତିଥି ଜିଇଁ ନାଇଁ ଦେଉନ । ”

ଚଏତୁ କହୁଥିଲା ” ଜିଉଁଛୁ କାଏଁଯେ ରେ …… ଆରୁ କେନତା ଜିଇଁତୁ ମତେ ବାଗଧରା କହୁଛୁ ମୁଇଁ କେଭେ ବାଘ ଧରଲିରେ । ବିନା ଦୋଷେ ମୋର ଉପରେ ଇଲଜାମ୍ ଲଗାଉଛୁ । ”  ” ମାଫ୍ କରବୁରେ ଟିକେ ବେଶୀ ହେଇ ଯାଇଛେ ।  ଚଏତୁର କଥା ଶୁନି ସୁଲ ଆଉଟିକେ ଠାଏ ଠାଏ ରାଗି ଗଲା । ରାଗଲେ ହେଲେ କାଏଁ କରବା ଇଟାଥିଲା କାଏଁ ତାର କରମ କପାଲେ । ସୁଲତା  ମନେ ମନେ ଭାବୁଥିଲା କେନ୍ ଦିନେ ନିହିଲେ ତୋର କମ୍ ଥିସିଯେ । ଆନ ଦେ କେତେ ପଏସା ଆନିଛୁ ଯେ , କହି ମୁନାଥି ହାଁତ ଶୁଣଲେଇ ଦେଖଲା ସୁଲ । କାହିଁରଟା ନୋଟ୍ ତ ନୋଟ୍ ପାଁଚ ପଏସକିଟେ ଭିଲ୍ ନାଇଁ ମୁନାଥି । ହାଏରେ ମୋର କପାଲ କେନତା ମୁନୁଷ ଗୁଟେକେ ମାହାପୁରୁ ମୋର ସାଂଗେ ଜୁଡଲା ଯେ । କାଣା ହେବା ଭଗବାନ ମୋର ଛୁଆ ପିଲାର କେନତା କରି ମୁନୁଷ ବନାମି ତାହାଁକୁ ବଲି କନ୍ଦ କନ୍ଦନିଆ ହେଇ ଯାଉଥାଏ ସୁଲତା ।         ମରଦ ଚଏତୁ ମଦର ସୁରେ ସୁରେ ବକଲା ” ସେଟ୍ ଅପ୍ ୟୋର୍ ଥୁଥନା ” ମାରବି ଦେଖବୁ କାନ୍ଦୁଛୁ କାଏଁ କରି ମୁଇଁ ତଖେ ମାରଲି କାଏଁ …… ସୁଲ ମନେ ମନେ କହୁଥିଲା ମନ ଭିତରେ ମରୁଥିବାର ମୁନୁଷକେ ମାଡ କାଏଁ ଦରକାର । ସତେ ଯେନତା ମଦ ପିଉଥିଲା ଚଏତୁ , ଚରି ଯାଉଥିଲା ସୁଲତାର ଗାଗର ତନ ମନ । ହାଇପୋ କ୍ଲୋରାଇଡ୍ ଲୁହାକେ ଚରସି ମେତାର । ସୁଲର ମନ ଶାନ୍ତି ନାଇଁ ଆଠ ମାସର ଛୋଟ ଛୁଆଟେ ଭିଲ୍ ଅଛେ ତାର, ତାରଦେଖ ଭାଲ୍ କିଏ କରବା । ସୁଲ ଫେର କହେଲା, ତୁଇ ଦିନେ ଘାଏ ହଲେ ପୁଓ ବଲି ପାଖରିଛୁ ବୁଆର ସ୍ନେହ ଦେଇଛୁ । ମୋର ପୁଓକେ । ତୁଇ ଯାହା କରୁଛୁ କର । ନାଇଁ କହେଁ କହେଲେ ହେଲେ କଥାଟା ସୁଲର ଟୁଣନୁ ବାହାରିଗଲା ତାକଁର ଭାଷାଥି ” ମାଲ୍ଲା ମାଲ୍ଲା ବାକୁନ , ହାଦୁ କାମଚିକାଏ

ପାକୁନ ହାବୁ ପାକାବାଗେନ୍ ଫାଟ୍‌ରାଲି ” । ଆମର ଭାଷାଥି ” ନାଇଁ ନାଇଁ କହେଲି ବେଲେତ ଛୁଆ କରଲୁ ପାଖରଲା ବେଲେ ଫାଟୁଛେ ” । ପୁଓ ଝି ତୁଇ ପାଏଲୁ ମୁଇଁ ପଲାଲି ।

 

ଚଏତୁ ନିଶାର ସୁରେ କେନଦି ରେ …… ମୋର ଛୁଆ ପିଲାର ଚିନତା କରୁଛୁ ପିଲା ମୋର ଛୋଟ ଅଛେ , ହେଲେ ଲିମିର ଚିନତା ନାଇଁ କରବୁ ତୁଇ । ଯୁଆନ ହେଲାନ ମୋର ଝି । ସେ ମାଖି ଘସି ଜାନଲାନ ବୁଝଲୁ । ଆରୁ ତାର କଥା ଆଏଜ ଗଁତିଆ ପଚାରୁଥିଲେ ଜାନଲୁ । କହୁଥାନ ତୋର ଝିର କିଛି ଅସୁବିଧା ନାଇଁ ହୁଏ ବୋ …..ବୁଝୁଛୁ ଚ ……. ଅ ……. ଅ ……. ଅ ……. ଏତୁ ନାଇଁ କହି ପାରଲେ ଗଁତିଆ ପେଟେ ମଦ ପିଇ ଦେଇଥାନ । ଏନତା କେତେ କଥା ଭଟରୁ ଥିଲା ଚଏତୁ । ତାର ପାଖେ ପନତେ କେହି ନାଇଁ ।କୁକୁର ଦୁଇଟା ଖାଲି ସୁଇଥାନ । ସେମାନେ ଭିଲ୍ ଚଏତୁର କଥା ଶୁନୁଥାନ କିନି ଯେ କିଏ ଯାନେ । ଚଏତୁ ଏକଲା ଲାଂଗ୍ ଛାଟ୍ ହେଇ ପଡିଥିଲା ।

ମରଦକେ ବାହାରେ ଛାଡି ସୁଲତା ଭିତରେ ଢୁକଲା ଉତାରୁ ଠୁଂଗ୍ ଠୁଂଗିଏନ୍ ବୁଢ଼ୀ ସୁଲର ଫସକୋ କରିଥିବାର ମୁହୁଁକେ ଦେଖି କହେଲା ” ବୁଝଲୁ ଟୁକେଲ ଗୁରଦୁ ଖୁରି ଗିନା ଏକ ଠନିଆ ରଖବୁ ବେଲେ ବାଜସିରେ ଥରେ ଥରେ । ବର କନିଆଁ ଭିତରେ ଭିଲ୍ ଏନତା ଝଗଡା ହେସିରେ , ଆରୁ ଗୁଟେ ବଖରା ଭିତରେ ଏକା ସାଂଗେ ଶୁଇଲା ବେଲେ ବଏଠା ଲିଭଲେ ସରସିରେ ।

ସୁଲ କହେଲା ” ମତେ ତାକେ ରିସମି ନାଇଁ ଲାଗବାର ଗୋ ବଡି । ମୋର ଝି ଲିମିକେ ନେଇ କହୁଛେ କଥା ମାନେ ଭାବଲେ ମୋର ରକତ ବଲକି ଯାଉଛେ । ବଡଲା ଝିର କଥା ବୁଆ ଚିନତା କରବା କି ହେ ଗାଡସୁଆ ଗଁତିଆ ଜଟିଆ ଭାବବା । ତୁଇ କହ ତ ?

 

ସେ ଗଁତିଆ ପରେରେ ପରଜାର ମଂଗଲ କେନତା ନାଇଁ ଭାବବା । ଏ ଟୁକେଲ ତୁଇ ଗାଡସୁଆ ନାଇଁ କହ । ଗଁତିଆକେ ହେନତା କାଏଁଯେ କହୁଛୁ । ହଁ ସେ ନିସତିଆ ଆଏରେ । ହେଲେ ଗାଡସୁଆ ବାଗିର ଚଲନ ନାଇଁନ କି କବାର ନାଇଁ କରି । ହେନତା କହେଲେ କେନତା ହେବା ଟୁକେଲ । ଭଲ ଲୋକ ବଲି ତ ତାର ପୁରଖାର ଖେତ ଖଲା ବୁରେଇ ତୁମକେ ଛାଡି ଦେଇଛେ । ହେଥି ଜିଉନି ଖାଉନି ଆରୁ ହେନତା କହେସୁ ଯେ ରେ । ମୋରନେ କହିଦେଲୁ କହିଦେଲୁ ଉନଜା କାହାର ଠାନେ ନାଇଁ କହେବୁ । କିଏ ଗୁଟେ ଶୁନଲେ ଲଗେଇ ଦେଲେ ଗଲା , ତୋର ସଂସାର ଭାସି ଯିବା ରେ ଟୁକେଲ ।

 

ସୁଲତାର ମୁହୁଁନୁ ” ଭାସବାରଟା ଆରୁ କେନେ ବାକି ଅଛେ କାଏଁ ଗୋ ….. ତୁଇ କିଛି ନାଇଁ ଜାନି କହି କହୁଛୁ । ରାକସ ଗୁଟେକେ ଦେବତାର ଦରଜା ଦେଉଛୁ । ବୁଢ଼ୀ କହେଲା କାଏଁ ହେଲା ରେ ଟୁକେଲ ? ଶୁନବୁ ବେଲେ ଶୁନ ……

 

ଖୋବ ଆଘଲିର କଥା ମୁଇଁ ବିହା ହେଇ ନାଇଁ ଆସି ଥାଇ ଗୋ ଇ ଗାଁକେ । ତାର ଆଘନୁ ଲିମିର ବୁଆ ପରେ କମିହାଁ ଥିଲା ଜଟିଆ ଘରେ । ରଁଚେ ଦିନୁ ବୁଆର ମୁହୁଁ ନାଇଁ ଦେଖି ଯେହେତୁ , ଇତାର ବିହା ବରପନନେ ଭିଲ୍ ଜଟିଆ ବାବୁର ଘରର ଲୋକର ହାଁତ ଅଛେ । ଆରୁ ହାମର ଘରକେ ପହେଲା କରି ମତେ ଦେଖିଗଲା ବେଲେ ଫିନ୍ ଲିମିର ବୁଆ ସାଂଗେ ଜଟିଆ ଭିଲ୍ ଯାଇଥିଲା । ଲିମିର ବୁଆ ସାଂଗେ ବିହା ହେଲା । ଲମି ଆଏଲି ମାଆ ଘରୁ ଶାଶଘର ।  ମୁଇଁ ନାଇଁ ଆସବାର ଆଘନୁ ଆମର ଘରକେ ଜଟିଆ ଜହ  ଯାଆ ଆସ କରୁଥିଲା କିନି  ମୁଇଁ ନାଇଁ ଜାନି । ହେଲେ ମୋର ଆସଲାକେ ବେଲ ବେଲ ତକ ଡେରା ଡାଲିଥାଏ ଆମର ଘରେ । ମଦ ଶିକାର ଆନି କେତେ କରୁଥିଲା ଭୁଜି ଭାତ । ନିଶା ବେଶୀ ହେଲେ କହୁଥିଲା । କାଏଁ ସିଆନିଟେ ପାଏଲୁ ବୋ ଚଏତୁ ! କାଏଁ ନାଇଁ ରାନ୍ଧୁଛେ ତୁନ ସାଗ । ହାତେ ତାର ଜାଦୁ ଅଛେ ଜାଦୁ ବୁଝଲୁ …… ଯେ ଶୁନତ ଚଏତୁ ଏନତା ଶିକାର ମହୁଲି ତ ଚାଖୁଥିମା ରୋଜ୍ ରୋଜ୍ । ତୋର ମାଲକେ ଟିକେ ମତେ ଥରେ ଚଖା । ମତେ ଭିଲ୍ ଥରେ ଘୁଡା ଚଢବାର ମଉକାଦେ ବୋ , ଏକଲା ଚଢଲେ ହେବା କାଏଁ ! ଛୁଆ ହେଇଗଲେ ହେଇ ଯିବା ଚିନତା ନାଇଁ କରବୁ ସବୁ ଖଏରଚା ମୋରନୁ ନେବୁ । ନାଇଁ ହେଲେ ଧୁଆଇ ଦେମା ବୋ ମୁଇଁ ଥିଲେ କାଏଁ ଚିନତା କରସୁ ।

ସୁଲତାର କଥା ନାଇଁ ସରିଥାଇ ଆରୁ ଠୁଂଗ୍ ଠୁଂଗିଏନ୍ ବୁଢ଼ୀ କହେଲା କାଏଁ କହେଲୁ ଟୁକେଲ …… ରଇଖିଆ ତତେ ହେନତା କହେଲା , ଆରୁ ବେଫିକର ଗାଁଥି ବୁଲୁଛେ । ହାମେ ଗରିବ ହେଲେ କାଏଁ ହେଲା , ହାମର ଇଜତ ମହତ କିଛି ନାଇଁନ କାଏଁ ଟୁକେଲ । ଚଲ ତ ଜିମା ତାର ଘରକେ ….. । ସବୁ କଥା ଶୁନି ଅହଲ୍ୟା କହୁଥିଲା ” ଚଏତୁ ଦଦା କିଛି ନାଇଁ କହେ କାଏଁ ଗୋ ବହୁ ଗଁତିଆକେ । କାଏଁ କରି ଦଦା ତାହାକେ ଘରକେ ଆନେ । କିଛି ଜବାବ ନାଇଁ ଦିଏ କାଏଁ ଜଟିଆ କହେଲା କଥାର । ରୋକ୍ ଠୋକ୍ ତ ଶୁନେଇ ଥିତା ।

 

ତୁମର ଦଦା କାଣା ଜବାବ ଲେହେଁଟାବାରେ ନନୀ । ଅଏଁଠା ଚଟା । ଇତାକେ ତ ରଇସ ହେବାର ନିଶା ଘାରିଥିଲା । ଜଟିଆ ପରେ ତାହାକେ କହିଥିଲା ” ବୁରେଇ ଗୁଟା ତୋର ଆଏ ବୋ ଏସ୍ କର ” । ତୁମର ଦଦା ମାତଲେ ଛାତି ପିଟି ପିଟି ଡିଂଗ୍ ମାରି କହୁଥିଲା , ଗଁତିଆର ଅଧା ସମ୍ପତ୍ତି ମୋର ବଲି । ଆଉ ତାର ସମ୍ପତ୍ତିଥି ଗିଧା ରାବଣ ଲେଖେ ଝନେ ନଜର ପକେଇ ଦେଖୁଛେଟା ହେ ମୁନୁଷକେ କେନେ ଦିଶୁଛେ । ହେନତା ଲୋକ ମୋର ଝିର ଚିନତା କରୁଛେ । ଗଁତିଆ କହୁଥିଲା ପରେ ଲିମିର ବୁଆକେ ତୋର ଝିଇକେ ସହର ପଠାମା ବାଙ୍ଗାଲୋର କି କେନେ । ସେନେ ସେ କ୍ୟାସିନୋରେ କାମ କରବା ଜହ ପଏସା କମାବା । ମାସକେ ମାସ ତୋରନେ ପଏସା ପଠାବା । ତାର ଲାଗି ଇ ମୋର ପିଛା ଲାଗିଛେ । ହର ଦିନ ପିଇ ଆସୁଛେ ଝଗଡା କରୁଛେ । ଜିଦ କରୁଛେ ଲିମିକେ ଗଁତିଆ କହୁଛେ ଠାନକେ ପଠାମା ।

କହିଦେଲି ମୁଇଁ ତାର ବୁଆକେ କାଏଲ୍ । ତୋର କଥା ମୁଇଁ କିଛି ଅଧା ବୁଝୁଛେଁ ଅଧା ନାଇଁ , ଆର ହେ କ୍ୟାସିନୋ କାଣା କହୁଛୁ ମୁଇଁ କେଭେ ଦେଖି ନାଇଁ ! ମୋର ଝିଇ ମୋର ଘର ଦୁଆର ଛାଡି କାହିଁ ନାଇଁ ଯାଏ ବୁଝଲୁ । କହିଦେବୁ ଯା ଗଁତିଆକେ,ବଲି ଗଲା କାଏଲ୍ ଫେରି ଝଗଡା ହେଇଥିଲା ଗୋ ତୁମର ଦଦା ସାଂଗେ । ଫିର୍ ଭି କଥା ମାନଲା ନାଇଁ କି , ଗଁତିଆ ଘର ଗଲା ନାଇଁ । ଉଲଟା ମତେ କହେଲା , ଶୁନୁଛୁରେ ତୁଇ କଥାକେ ବୁଝବାର ନାଇଁ । ଝି ମୋର ସହରକେ ଗଲେ ଗଁତିଆ ଜମିନ ଖାପେ ଦେବେ । ମହୁଲ ବୁରେଇଟା ଯାକର ଆମର ହେଲା ତ ହେଲା , ତେହେରୁ ଜମିନ ଭି ଆମର ବେଡିଟେ ଆଉ କାଏଁରେ । ମୁଇଁ ହେମି ଜମିଦାର ଆର ତୁଇ ଜମିଦାରେନ । ତୁମର ଦଦାର କଥା ଶୁନି ମୋର ମୁଡେ ପିତ ଚଢିଗଲାରେ ନନୀ । କାଏଲ ପିଟି ପକାଲି ତୁମର ଦଦାକେ । କେନତା ଟେକି ଦେମି ମୋର ଝିକେ ଗୁଟେ ଦଲାଲ ହାତକେ । ଆଏଜ ଫେର ପେଟେ ମଦ ପିଇ ଆସିଛେ ।ମାହାଜନନେ ମହୁଲି ଛାଡି ଯାଇଥିଲା । ପଏସା କିଛି ଆନି ନାଇଁ । ଇ ଧନ୍ଦା ଛାଡି ଦେଉଁନ କହେଲେ ଭିଲ ବୁଝେ ନାଇଁ । ଘର ଭିତରକେ ଆଏଲେ ଫେର ଝଗଡା ଝାଟି ହେବା । ମାର ପିଟ୍ । ଡେମା କୁଚରା କେତେ କଥା ।

 

ବାହାରୁ ଡାକ ଫାରୁଥିଲା ଚଏତୁ ଏ ସୁଲ …… ସୁଲ …… ଶୁନୁଛୁକି ନାଇଁ ରେ ବଁଚିଛୁ କି ମରିଗଲୁ । ଆ ….. ଟିକେ ନେବୁ ଆ ….. ଘର ଭିତରକେ ନେବୁ ଆ ….. ନାଇଁ ପାରବାର । ସୁଲ କହୁଥାଏ ପଡିଥା ମୁଇଁ ଯାଏଁ ନାଇଁ । ମୁହୁଁ ଫୁସକା କରି ବସିଥାଏ ସୁଲତା । ଠୁଂଗ୍ ଠୁଂଗିଏନ୍ ବୁଢ଼ୀର ମନଟା ତରଲିଗଲା । ଚଏତୁକେ ଗୁଲଗୁଲା ଲାଗଲା ବୁଢ଼ୀ ଲୋକ ଝାଏଁନୁ ଉଠି ପାରଲେ ତ । କି ବଲ ବଫୁ ଥିଲେ ତ ଯେ ସଁଖଲି ଆନବା । ଏଡେ ବଡ଼ ମୁନୁଷ ଗୁଟେକେ । ଠୁଂଗ୍ ଠୁଂଗିଏନ୍ ବୁଢ଼ୀ ସୁରତା କରି ପକଉଥାଏ ତାର ପୁଓ ଦନାର କଥା । ଯୁଆନ ପିଲାଟା ମହୁଲି ପିଇ ପିଇ ମରିଗଲା । ମରବାର ବୟସ ନାଇଁ ହେଇଥାଇ । କିଡନୀ ଦୁଇଟା ଖରାପ ହେଇ ଯାଇଥିଲା । ବୁଢ଼ୀ ନାତେନ ଅହଲ୍ୟାକେ କହି ପକାଲା ଯାରେ ତୁଇ ଉଁଢେଇ ଆନି ଦେବୁ ତୋର ଦଦା ଚଏତୁକେ ।

 

ଅହଲ୍ୟା ଯାଇଥିଲା ଚଏତୁ ପାଶକେ । ଅବଶ୍ୟ ନିଶା ଟିକେ ଟିକେ ଫାଟିଥିଲାନ । ଟୁକେଲ ଲୋକ ଲଟ ପଟ ଉଠେଇ ଆନଲା ଘର ଭିତରକେ ।

ଠୁଂଗ୍ ଠୁଂଗିଏନ୍ ବୁଢ଼ୀ ଦୁଆର ବନ୍ଧ ଲାଗି ବସିଥାଏ ଗିଲାସ୍ ଧରି । ଚଏତୁ ବୁଢ଼ୀକେ ବାଟେ ବାଟେ ବସିଥିବାର ଦେଖି ନିଶାର ସୁରେ ନନ୍‌ସେନ୍‌ସ ବୁଢ଼ୀ ବାଟେ ବାଟେ ବସିଛୁ । ତରା ପଖିଆ ନାଇଁ ବସତୁ ମତୁଆଲେନଟା କାହିଁର । ଚଏତୁ ଚିନହି ନାଇଁ ପାରୁଥାଇ ନିଶାର ଲାଗି ଠୁଂଗ୍ ଠୁଂଗିଏନ୍ ବଡିକେ । ବୁଢ଼ୀ ଇଂଗଲିସ୍ ନାଇଁ ପଢ଼ି କି ନାଇଁ ଲେଖି । ଚଏତୁର ଗାଲିଟା ବୁଝି ନାଇଁ ପାରଲା । ହେଲେ ମତୁଆଲେନଟା କାହିଁର ଧାଡେକେ ବୁଝି ପକାଲା । ରାଗି ଗଲା ଆରୁ ଚଏତୁକେ ଜବାବ ଉଲଟାଲା ରରେ ପିଲା ତୋର ମଦ ପିଆ ଛଡଉଛେଁ ର ….. ।

 

ରାତି ଗହିର ହେଇଥିଲା ନ । ଅହଲ୍ୟା କହୁଥାଏ ଚାଲ ବାଇ ଚାଲ ତାର ମୁହୁଁ ନାଇଁ ଲାଗ । ରାତି ଖୋବ ହେଲା ନ ।

ସୁଲ କହୁଥିଲା ରହି ଯା ନନୀ ସକାଲୁ ତୁମର ଦଦା ଅମରେଇ ଛାଡବେ । ଏତେ ରାତି କେନତା ଯିବ । ଠୁଂଗ୍ ଠୁଂଗିଏନ୍ ବୁଢ଼ୀ କହେଲା ନିରେ ଟୁକେଲ ପଲାସୁଁ ମୋର କେଡେନି କେଡେ କବାରଟେ କରବାର ଅଛେ । ସକାଲୁ ନାଇଁ ବନେ ଲୋ । ଫେର୍ ଆଏମି ଯେ , ତୋର ଘର ।

 

ବାହାରି ଗଲେ ଦୁହି ଜଣ ଚଏତୁର ଘରୁ ବାହାରକେ । ଖୋବ ଦୁର ଗଲା ଉତାରୁ ବୁଢ଼ୀ କହେଲା , ମୁଇଁ ଆରୁ ଚାଲି ନାଇଁ ପାରେଁ ରେ ଟିକେ ଦମ ଧର । ବସ ଇନେ ବସ । ଦୁହି ଜଣ ଚାଲି ଚାଲି ପହଁଚି ଯାଇଥିଲେ ଜଟିଆ ଗଁତିଆର ମହୁଲ ବୁରେଇ ପାଖା ପାଖି । ଆଉ ରଁଚେ ଦୁର ଗଲେ ମହୁଲ ତଲ । ଗଛ ମାନେ ଝାପସା ଝାପସା ଦିଶଲାନ ।ଅହଲ୍ୟା ଦେଖି ପାରୁଥିଲା , ଗଛ ମାନକେ । ଅହଲ୍ୟା ବୁଢ଼ୀର ନେତ ଘାତ ଦେଖି କହେଲା , ଇଟା କାଏଁ ଗୋ ତୁଇ ପରେ କେଡେ କେଡେ କାଠ ବୁଝା ଉତରାସୁ ଡଂଗରନୁ । ଚାଲି ନାଇଁ ପାରୁଛେଁ କହେସୁ ଯେ !

 

ଚାଲ ହାଦେ ଗଁତିଆର ବୁରେଇନେ ଗଛତଲେ ବସବୁ , ଆଉ ଟିକେ ଦୁର । ବୁଢ଼ୀ ଥାକମା ବଲୁଥାଏଟା ଚାଲ ନାତେନ ଚାଲ ବଏଲା । ସତେ ଯେନତା ଶହେ ସିଂହର ବଲ ତାର ଦିହିଁ ଭିତରେ ପଲେଇ ଆସଲା । କହେଲା ” ହେ ଗାଡସୁଆ ଗଁତିଆର ନାଆଁ ନାଇଁ ଧରବୁ , ମହୁଲ ମହୁଲିର କଥା ନାଇଁ କହେବୁ ।

ଝାଏଁନୁ ଚାଲ୍ …… ଦେଖବୁ ଚଲ୍ ……ଝାଏଁନୁ ଚାଲ୍ ତାର ବୁରେଇକେ କାଣା କରବି ଯେ । ନାତେନ କହୁଥିଲା କାଣା କରବୁ ଗୋ ? ଆ ….. ଦେଖବୁ ଆ ….. ।

 

କଥା କଥାକେ ଠୁଂଗ୍ ଠୁଂଗିଏନ୍ ବୁଢ଼ୀ ଆରୁ ଅହଲ୍ୟା ବୁରେଇତଲେ ଠିଆ ହେଇଥାନ । ବୁଢ଼ୀ ବାହାର କରଲା ଅଁଟାନୁ ମାଚିସ୍ ଆରୁ ଆଏଁଖ ମିଟକାକେ ଲେଛେଇ ଦେଲା କାଠିଟେ ଗଛ ବୁନ୍ଦ ତଲେ ପଡିଥିବାର ଗଦା ଗଦା ଥୁଆ ବହଲ ସୁଖା ପତର ଉପରେ । କିଛି ସମିଆ ଉତାରୁ ରାବଣର ଲଙ୍କା ଲେଖେ କୁହୁଲି କୁହୁଲି ଜଲୁଥିଲା ଗୁଟା ବୁରେଇ ସାଂଗେ ଆଖର ପାଖର ଇଲାକା ।

 

ବୁଢ଼ୀ ମାଫି ମାଗୁଥିଲା ମନେ ମନେ ଅସକଟିଆ ଗଁତିଆର ସମାଧି ଆଗ ମୁଡେ । ” ମାଫ୍ କରବୁ ଗଁତିଆ , ଗଛ ସଉକିଆ ” ।

 

ଆର ଦିନେ ସକାଲୁ ପରାର ଲୋକନୁ ଖବର ପାଇ ଦେଖି ଯାଇଥିଲା ଚଏତୁ ତାର ମହୁଲ ବୁରେଇ । ପେଟେ ମହୁଲି ପିଇ ଥିଲା କି କେନତା ଯେ , ଚାରହି କୁତି ଦେଖଲା ଉତାରୁ ତାର ମୁହୁଁନୁ ଲେଡବେଇ  ବାହାରି ଗଲା …….. ନନ୍‌ସେନ୍‌ସ କିଏ ଜଲାଲା ମୋର ବୁରେଇ ।


ସୁନିତା ପଟେଲ, ସୁନ୍ଦରଗଡ

तन्हाई

तन्हाई का हवा तब चलता रहा, उनकी याद में जब जिया जलता रहा,

दिन पर दिन ढलते रहे

मौसम भी कई बदलते रहे,

नैनो से अश्क भी बहते रहे

और हम दिल ही दिल में कहते रहे

बस कर, अब तू और देर न कर

इतना मेहरबान तू हो हम पर,

देख, हथेली भी मैंने जोड़ दी,

सारे मान अभिमान छोड़ दी,

हर नाराजगी तेरी गंवारा है,

एक तू ही तो मेरी सहारा है,

बस,जताना मुझे ये सब आता नहीं,

कि एक तेरे सिवाय कोई भाता नहीं।

मैने आंखों को बंद कर ली है,

मन में यादों को तेरी भर ली है,

आंखें खोली तो बेजुवान बोलेंगे,

हर एक राज़ भी दिल के ये खोलेंगे,

क्या तू दर्द मेरा देख पाएगा?

क्या तू फिर से मुझे छोड़ जाएगा?


ହେମନ୍ତ କୁମାର ପଟେଲ, ହଂସାମୁରା କଟାପାଲି, ଝାରସୁଗୁଡ଼ା

ବସନ୍ତ

ଏବେ ବସନ୍ତରେ କୋଇଲି ରାବୁନି

କୋଇଲି ରାବିଲେ ବସନ୍ତ ଆସୁଛି

ଭାରତୀୟ ରେଳ ପରି ବସନ୍ତ

ଏବେ ଯେତେ ଡେରିରେ ଚାଲିଲେ ବି

ଖୁସିରେ ସିଟି ମାରି ପାରୁଛି  l

 

ସେ ଆଉ ରୂତୁ ନୁହେଁ

କି ରୂତୁରାଜ ନୁହେଁ

ସେ ଏବେ ଏକ ଅତିଥି

ଏବେ ପ୍ରକୃତି ଆଉ ତାକୁ

ସ୍ଵାଗତ କରୁନାହିଁ, ବରଂ

ସେ ହିଁ ଉପହାର ଧରି ଆସୁଛି  l

 

ଶୀତ ଋତୁରେ କୋଇଲି ଗାଉଛି

ଆମ୍ଭ ପାଚୁଛି, ଫ୍ଯାନ୍ ଚାଲୁଛି

ଖରା ମାସରେ ବନ୍ୟା

ବସନ୍ତରେ ଘଡ଼ଘଡ଼ି

ଲାଗୁଛି, ବସନ୍ତ ଆଉ

ପ୍ରେମର ରୂତୁ ନୁହେଁ

ସତେ ଯେମିତି କହୁଛି

ପାଖରେ ପାଖରେ ବସ

ଆଉ ଅନ୍ତ କର ତୁମ

ଛଳନାର ସବୁ ଅଭିନୟ  l

 

ଏବେ ବସନ୍ତରେ ବୈରାଗ୍ୟର ଲହରୀ

ଆୟକରର ପ୍ରହରୀ

ବାହା ପାଇଁ ସଜବାଜ ହେଲା ବେଳକୁ

ଖର୍ଚ୍ଚର ଗୁଜ୍ଜରୀ

ବନ୍ଧୁବାନ୍ଧବ ଭିତରେ

ବନ୍ଧୁକର ଗର୍ଜନ

ଫମ୍ପା କରମର୍ଦ୍ଦନରେ

ସମ୍ପର୍କର ହରଣ ଗୁଣନ  l

ବସନ୍ତରେ ଫୁଲର କୋମଳତା

କିନ୍ତୁ ଏବେ ଯେ ଚାରିଆଡ଼େ ନିଆଁ

କେଉଁ କେଉଁ ନିଆଁକୁ ଲିଭାଇବା

ଦମକଳ ସବୁ ତ ସହର ବାହାରେ

ଏବେ ତ ନରେ ନରେ, ଘରେ ଘରେ

ଦମକଳ ଦରକାର

ସତସଙ୍ଗର, କଥା କାର୍ଯ୍ୟର ସମ୍ପର୍କର  l

 

କ’ଣ

ବସନ୍ତ ଏକ ଗାଁ

ଏକ ବ୍ୟକ୍ତି

ଏକ ଭାବ

ଏକ ଆହ୍ଵାନ

ଏକ ପରିବେଶ

ଏକ ଅବକାଶ ?


ରାସ ବିହାରୀ ନାଏକ, ତାଳପଟିଆ,ଝାରସୁଗୁଡ଼ା

ଗୀତ ଟିଏ ମାଆ ପାଇଁ

ଗୀତଟିଏ ମାଆ ପାଇଁ, ପ୍ରଥମ ସୂର୍ଯ୍ୟୋଦୟ ଦେଖେଇଥିବା ଜନନୀ ପାଇଁ,

ଇଚ୍ଛା ହୁଏ ତା କୋଳରେ ମଥା ଗୁଂଜି ଶୋଇ ଯିବା ପାଇଁ,

ତା ପଣତକାନିରେ ମୁହଁ ପୋଛି ତା ହାତରନ୍ଧା ଶାଗପଖାଳ ଖାଇବା ପାଇଁ

ଗୀତ ଟିଏ କେବଳ ତା ପାଇଁ, ଗୀତ ଟିଏ ମାଆ ପାଇଁ ।

 

କି ଗୀତ ଲେଖିବି ତାର, କି ଗୁଣ ଗାଇବି, ପୋଥି ଟିଏ ହେବ ପରା,

ସେ ଯେ ଜନନୀ, ସେ ଯେ ସର୍ଵଂସହା  ସେଯେ ସରାଗରା ଧରା,

ମଧୁର ପରଶ ପାଇ ଆଜି ମୁହିଁ, ଆତ୍ମହରା ତା ଜଠରୁ ଜନ୍ମ ନେଇ,

ଗୀତ ଟିଏ ସେଇ ମାଆ ପାଇଁ, କେଵଳ ମୋ ମାଆ ପାଇଁ ।

 

ଉଦରେ ଧରିଛି, କାଖ ସେ କରିଛି, ଥକି ଯାଇ ନାହିଁ କେବେ,

ଅସହ୍ୟ ଯନ୍ତ୍ରଣା ମୋ ପାଇଁ ସହିଛି, ଦୁଃଖ କରି ନାହିଁ ଲବେ,

ଅମୃତର ଧାରା ମୋ ଦେହେ ବୁହାଇ ,ତିଳତିଳ ଦଗ୍ଧ ହୋଇ,

ଗୀତ ଟିଏ କେଵଳ ସେ ନାରୀ ପାଇଁ, ମୋ ମାଆ ପାଇଁ ।

 

ତାର ପ୍ରତିଦାନ ଦେଇ କି ପାରିବି ସେ, ଯେ ମାଆ, ସେ ଯେ ଧାତ୍ରୀ,

ରୋଗେ ବଇରାଗେ ମୋର, ଦେବତା ପୂଜିଛି ବିତାଇଛି ଅମାରାତ୍ରୀ,

କୋମଳ ମଧୁର ବଚନ ତାହାର,କେଉଁଠି ପାଇବି ମୁହିଁ,

ଅନ୍ତର ଆଜି ଖୋଜିବୁଲେ ତାକୁ, ଗୀତ ଟିଏ ମାଆ ପାଇଁ  ।

 

ଅର୍ଥ ଅରଜିଛି, ଯଶ ମୁଁ ପାଇଛି, ପାଇବି କି ମାଆ ଟିଏ,

କୋଳେଇ କାଖେଇ ମଣିଷ କରିଛି, ନିତି ସେ ଆଶିଷ ଦିଏ,

ମାଆ ଶବଦଟି ଏକାକ୍ଷରୀ ମନ୍ତ୍ର,ତାଠାରୁ ଆଉ କେ ନାହିଁ,

ତା’ରି ଚରଣରେ ଅର୍ପଣ କରୁଛି, ଗୀତ ଟିଏ ତା ପାଇଁ।

 

ଭଗବାନ ସବୁଠି ରହିପାରିବେନି, ସେ ପାଇଁ ଦେଇଛି ମାଆ ।

ସାରା ଜଗତର ସ୍ରଷ୍ଟାକାରିଣୀ ସ୍ନେହ ମମତାର ସାହା ,

ଦୂରେ ଥାଇ ତୋତେ ନମନ କରୁଛି, ଯାଇ ତ ପାରୁନି ମୁହିଁ,

ଗୀତ ଟିଏ ମାଆ ପାଇଁ, ଗୀତ ଟିଏ ତୋ’ ପାଇଁ ।


ଲିପ୍ ସା ପଟେଲ, ଭବାନୀପାଟଣା, ଜିଲ୍ଲାକଳାହାଣ୍ଡି

ସମୟ

ସମୟ ତ………..

ସମୟ ତ କାନ୍ଥଘଣ୍ଟାରୁ ମୁକୁଳି

ଚାଲିଯାଏ ମୋ ସହ ଦୁଇପାଦ

ତା’ ସହ ପାଦ ବଢାଉ ବଢାଉ

ସେ ତରଳି ଯାଇ

କେତେବେଳେ ପାଲଟିଯାଏ

ଅଭିମାନ,

ଅଭିଳାଷ,

ଅଭିଭୂତ କରିବାର ଏକ ମାଧ୍ୟମ।

 

କେବେ ସେ ଆଈମା’ ଗପରୁ

ଓହ୍ଲେଇ ଆସି ରବୋଟିକ୍ସ ହାତରେ ବନ୍ଧା

ପୁଣି କେବେ ମଙ୍ଗଳ ଗ୍ରହରେ

ଖୋଜୁଥାଏ କାହାର ସତ୍ତା ;

ଶୂନ୍ୟରୁ ସେ ଅବତାରୀ ପାରେ

ଆଉ ଏକ ଅନ୍ତରୀକ୍ଷ

କାହାକୁ ଅମର, କାହାକୁ ଶହୀଦ,

କାହାକୁ କରିପାରେ କାଳଜୟୀ ଆଲେଖ୍ୟ।

 

କେବେ ବହିଯାଏ ଲୁହ ହୋଇ

କେବେ ବୁହାଇଦିଏ ରକ୍ତର ନଈ

କେବେ ବିଶ୍ୱାସଘାତକତାର ଅନ୍ଧପୁଟୁଳି

କେବେ ସହୃଦୟେ ନିଏ ସଙ୍ଖୋଳି

କେବେ ଇନ୍ଦ୍ରଧନୁର ତୋରଣ

କେବେ ଜନ୍ମ- ମୃତ୍ୟୁର ସମୀକରଣ।

 

ସମୟ ତ ବେଶ୍ ବହୁରୂପୀ, ବଳବାନ୍

ତାକୁ ବୁଝୁ ବୁଝୁ

ପାଲଟିଯାନ୍ତି ସମସ୍ତେ

ଗୋଟିଏ ଗୋଟିଏ ସ୍ମୃତି ଚିହ୍ନ।


ସୁସ୍ମିତା ପଟେଲ, କୁଚିଣ୍ଡା, ସମ୍ବଲପୁର

ପ୍ରୀତି ପରଶ

ମୃଦୁ ମୃଦୁ ହାସ୍ୟେ ଥିରି ଥିରି ପାଦେ ନବବଧୂ ରୂପରାଜି

ନବ କିଶଳୟେ ପଲ୍ଲବିତ ହୋଇ ଧରିତ୍ରୀ ଉଠିଛି ସଜ୍ଜି

ପଣତେ ଯେମିତି ସାବ୍ଜାସାବ୍ଜା ପ୍ରେମ ବାନ୍ଧି ହସୁଅଛି ସିଏ

ହାତଠାରି ଡାକେ ଅଛକିଏ ଆସ ପାଗଳ ପ୍ରେମିକ ଟିଏ

 

ଭୁରୁଭୁରୁ ବାସ୍ନା ପଣତୁ ତାହାର ମନ ନେଉଅଛି ଜିଣି

ଉନ୍ମାଦ ଭ୍ରମର ପ୍ରେମିକ ପ୍ରବର ନେଉଅଛି ଟାଣିଟାଣି

କିମିଆଁ କରିଛି ସ୍ନିଗ୍ଧ ଶୀତଳ ଲାସ୍ୟମୟୀ ଅବୟବେ

ମଳୟ ପବନେ ରୋମାଞ୍ଚିତ ହୋଇ ଉଲ୍ଲସିତ ଅନୁଭବେ

 

ମଳୟ ଛୁଆଁର ସ୍ନିଗ୍ଧଅନୁଭବ ଶରୀରେ ହୋଇଛି ଲେଖା

ନବ ଯଉବନେ ଝଟକି ଉଠଇ ମୁକୁଳିତ ପ୍ରତି ଶାଖା

ତୂଳୀଟିଏ ଧରି ଆଙ୍କି ଅଛି କିଏ ବନମଧ୍ୟେ ପ୍ରାଚୀରବି

ଥୁଣ୍ଟାବୃକ୍ଷ ଡାଳେ ଥିରିକିନା କିଛି ଲେଖି ଦେଇଅଛି କବି

 

ସ୍ରଷ୍ଟା ଆଉ ସୃଷ୍ଟି ମିଳନରେ ହସେ ଅପରୂପା ଅନୁପମା

ଆମ୍ରକୁଞ୍ଜଡାଳେ ସାତସୁର ବାନ୍ଧି ପରଷି ଦିଏ ଉପମା

ବନସ୍ତ ମଧ୍ୟରେ ଅଜାଡ଼ି ଦେଇଛି ପାଛିଆଏ ଫଲ୍ଗୁମାଳ

ସୌନ୍ଦର୍ଯ୍ୟରେ ତାର ବଶୀଭୂତ ହୋଇ ସୁରବାନ୍ଧେ କୋକିଳ।

 

ପୁଷ୍ପକାଳର ମୂକସାକ୍ଷୀ ସାଜି ପୁଷ୍ପକେତୁ ଆନମନା

ପୁଷ୍ପଜ ଶରୀରେ ନବ ଉନ୍ମାଦନା ସୃଷ୍ଟିର ସଂରଚନା


ସୁପ୍ରଭା ନାଏକ, ସୁନ୍ଦରଗଡ

ଜୀବନ

ଜୀବନ

ନଈ ପରି ବହି ଯାଇଥାଏ

କେବେ ଖରା ପୁଣି ଛାଇ ହୋଇଥାଏ

 

ଜୀବନ

ଅଫେରା ଅସରା ପଥ ଟିଏ

କେବେ ଫୁଲ କେବେ କଣ୍ଟା ଥାଏ

 

ଜୀବନ

ଅଲିଭା ଅଲେଖା ଖାତାଟିଏ

ଲେଖୁ ଲେଖୁ ସରିଯାଉଥାଏ

 

ଜୀବନ

ବେଳାବୁକେ ବାଲିଘର ଟିଏ

ଗଢୁଗଢୁ ଭାଙ୍ଗି ଯାଉଥାଏ

 

ଜୀବନ

ନୀଡ଼ର ଅଫେରା ପକ୍ଷୀ ଟିଏ

ବାଟ ଭୂଲି କେବେ ହଜି ଯାଏ

 

ଜୀବନ

ପାଣିଫୋଟକା କି ଖରା ଛାଇ ଟିଏ

ଆଖି ପିଛୁଳାକେ ଲିଭେଇ ଯାଏ

 

ଜୀବନ

ସବୁଦିନ ଲାଗି ରହିନଥାଏ

ମଣିଷ ଏତେ ରାଗ ଅଭିମାନ କାହିଁ କରିଥାଏ ?


ମାଧବୀ ପଟେଲ, ଝାରସୁଗୁଡା

ବୀଜ

ଅମୂଲ୍ୟା ଅନେଇଁ ରହିଥିଲା ସୁବ୍ରତର ଫେରିବା ବାଟକୁ।ଦୀର୍ଘ ପାଞ୍ଚ ବର୍ଷ ପରେ ଫେରୁଥିଲେ ପ୍ରିୟତମ ସୀମାନ୍ତରୁ।ବିରହ ଦୁଃଖରେ ଆଖି ପାଣି ଆଖିରେ ଶୁଖୁଥିଲା ଅମୂଲ୍ୟାର।ବସନ୍ତସମୟ ଆସିଲେ ମଳୟର ମୃଦୁ ଚୁମ୍ବନ ତାକୁ ହନ୍ତସନ୍ତ କରୁଥିଲା ବିରହ ନିଆଁରେ।ବସନ୍ତର ବର୍ଣବିଭା କୋଇଲିର କୁହୁତାନ ଦେହ ରେ ଅନଙ୍ଗର ପୀଡା ସୃଷ୍ଟି କରୁଥିଲା।ବର୍ଷାଋତୁ ଆସିଲେ ଆଖିର ଲୁହ ବି ବର୍ଷାହୋଇ ବହିଆସୁଥିଲା ତା ବିଛଣା ଓଦା କରିବାକୁ।ହେଲେ ଏବେ ପ୍ରିୟର ଆଗମନ ମନରେ ଏକ ମଧୁର ଉନ୍ମାଦନା ଜଗାଇଛି।ସେ ଝରକା ଖୋଲି ବାହାରକୁ ଅନେଇଛି।ବାହାରେ ବର୍ଷା ଆସିବାର ପ୍ରାକ ଆଗମନରେ ପୃଥିବୀ ରଣଚଣ୍ଡୀ ସାଜୁଛି।ଆଉ ଅମୂଲ୍ୟା ଭାବନା ରାଇଜରେ ମଜ୍ଜିଯାଇଛି।

 

ଝରକା ବାହାରେ ବର୍ଷାର ଆସିବାର ସଂକେତ।ଫର୍ଚ୍ଛା ପୃଥିବୀଟା ଅକସ୍ମାତ୍ କଳାଘୁମର ବାଦଲ ଆସ୍ତରଣରେ ତମସାଚ୍ଛନ୍ନ ହେଇ ପଡିଲା।ସମୀରଣର ତୀବ୍ର ପ୍ରବାହ ସହ ଭାସି ଆସୁଥାଏ ପାଖ ବଣତୁଳସୀ ବୁଦାରୁ ମନ୍ଦ ମନ୍ଦ ମଧୁର ସୁଗନ୍ଧ।ଘଡଘଡିର ଶଙ୍ଖନାଦ ର ଶୁଭଶବ୍ଦ ପରେ ପରେ ବିଜୁଳିର ରୋଷଣୀ ଜଳାଇ ଉତୁରିଆସେ ଆକାଶ କନ୍ୟା ବର୍ଷା।ତାର ଉନ୍ମାଦ ନୃତ୍ୟର ଛମ୍ ଛମ୍ ପାଉଁଜିର ସୁରେ ନିନାଦିତ ହେଇପଡେ ସାରା ପୃଥିବୀ।

 

ଭିଜିଯାଏ ଶୁଖିଲା ଗ୍ରୀଷ୍ମଦଗ୍ଧାପୃଥିବୀର ଛାତି।ବର୍ଷାକୁ ସ୍ବାଗତ କରେ ଆତୁରତାରେ ହୃଦୟଖୋଲିଦିଏ।ଭିନିଭିନି ସୁଗନ୍ଧରେ ମହକିଯାଏ ତାର ମାଟି।ମାଟିବାସ୍ନାରେ ମହକିଉଠେ ପୃଥିବୀ।ପୃଥିବୀବାସୀ ସମସ୍ତେ ଆମୋଦିତ ହେଇ ଉଠନ୍ତି ଏଇ ବାସ୍ନାରେ।ବର୍ଷା ନାଚୁଥାଏ ଥରେଥରେ ଷ୍ଟ୍ରିଟ୍ ଲାଇଟର ଧିମା ଆଲୁଅରେ ପବନସହ ମତୁଆଲି ହେଇ ଲୁଚକାଳିଖେଳ ଖେଳୁଥାଏ।ତା ସାଂଗରେ ତାଳଦେଇ ଫଡଫଡ କରୁଥାନ୍ତି ରାସ୍ତାକଡର ହୋଡିଙ୍ଗ ରେ ଲାଗିଥିବା ଏଡଭେଟାଇଜ୍ ର ପୋଷ୍ଟର ଗୁଡାକ।ବର୍ଷାର ଶୀତଳ ସ୍ପର୍ଶରେ ଉନ୍ମାଦିତ ହେଉଥାଏ ପୃଥ୍ବୀର ଜନ ପ୍ରାଣୀ କୀଟରୁ ଉଦ୍ଭିଦ।ଆଶ୍ଲେଷି ନେଉଥାଏ ମାଟି ପ୍ରତିକଣିକାକୁ ମୋହାବିଷ୍ଟ ହେଇ ଆପଣା ଗର୍ଭରେ।ମାଟିମଗ୍ନାହେଇ ଆକାଶ ଉତୁରିଆସେ ବର୍ଷା ରୂପରେ।ପ୍ରିୟାର ବିରହ ବତୁରା ନିଦାଘର ପୀଡାକୁ ପୋଛି ସଫା କରିଦିଏ ନିଜ ଶୀତଳ ସ୍ପର୍ଶରେ।ପୋଡା ଉଷର ଭୂଇଁକୁ କରିଦିଏ ଉର୍ବରା ଫସଲା।ନଦୀରୁ ସାଗର ନଭରୁ ପର୍ବତ ବଣରୁ ପ୍ରାନ୍ତର କ୍ଷେତରୁ ଉପବନ ଚାରିଆଡେ ବିଛେଇଯାଏ ବର୍ଷା ନିଜକୁ ଭାଗ ଭାଗ କରି।ପର ଅପର ନଭାବି ସମସ୍ତେ ତାହାରି ନିଜର।ପୃଥିବୀର ତିନିଭାଗ ଜଳ ଥାଇ ପୃଥ୍ବୀ ତୃଷ୍ଣାରେ ଡହଳବିକଳ ହେଉଥାଏ।ଆଉ ସାଗର ଏତେ କୃପଣ ଯେ ଦିଏନି କଣିଚାଏ ଜଳ ପୃଥିବୀର ତୃଷା ନିବାରଣ ପାଇଁ।ତାର ଏ କୃପଣତାର ଦଣ୍ଡ ସ୍ବରୁପ ବାଦଲ ତା ଭଣ୍ଡାରରୁ ଚୋରିକରିନିଏ ପ୍ରତିଦିନ କିଛିକିଛିଜଳ ଆଉ ପୂର୍ଣ କରୁଥାଏ ତାରନିଜ ହୃଦୟ ଭଣ୍ଡାର।ଯେତେବେଳେ ତୃଷାତୁରା ପୃଥିବୀର ଗଛବୃକ୍ଷ ପଶୁପ୍ରାଣୀ ଆତୁର ହେଇ ତାଆଡେ ଅପେକ୍ଷାରେ ଅନେଇଁ ବସନ୍ତି।ସହିପାରେନି ତାଙ୍କର ଆର୍ତ୍ତ ପୁକାର ବରଷିଯାଏ ଛମ୍ଛମ୍ କରି ବର୍ଷା ରୂପରେ। ରୂପାର କଣିକା ସାଜି ଓହ୍ଲାଇ ଆସେ ଘଡଘଡିର ସାହାନାଇଁ ବଜାଇ ବିଜୁଳିର ଆଲୋକରେ ସଜ୍ଜିତ ହୋଇ। ତାକୁ ଅନାଇଁଥାଏ ସାରା ପୃଥିବୀ ସ୍ବାଗତିକା ମେଘମହ୍ଲାର ଗାଇ।ଚାତକ ଆାର୍ତ୍ତସ୍ବରେ ତାର ସୁର ମେଲିଥାଏ। ଶିଖି ତାର ରଙ୍ଗିନ ପୁଚ୍ଛ ମେଲାଇ ନୃତ୍ୟକରି ଆମନ୍ତ୍ରଣ କରେ ଆସ ବର୍ଷା ଓହ୍ଲାଇ ଆସ ମତେ ଗର୍ଭବତୀ କର।ଗଛବୃକ୍ଷ ଶୁଷ୍କ ପତ୍ରପୁଷ୍ପ ତାଙ୍କରି ଦରଦୀ ସ୍ବରରେ ଡାକୁଥାନ୍ତି ଆରେ ବର୍ଷା ଆ ଶାନ୍ତ କରିଦେ ଶାନ୍ତ କରିଦେ ଏ ଉତ୍ତପ୍ତ ଜଳନ ପୀଡା।

 

ଲେପିଦେ ତୋ ଶୀତଳ ଚନ୍ଦନର ପରଶ।ଶାନ୍ତି ସନ୍ତୋଷ ଭରିଦେ ଆମ ଦେହେ।ବର୍ଷା ଆଉ କେତେ ସହନ୍ତା ଯେ ସେ ନିଜକୁ ଜାଳି ତିଳ ତିଳ କରି ଯାହାକିଛି ଧନ ଆକାରରେ ସଂଚୟ କରିଥାଏ ପୁଣି ସେଇ ମାଟିକୁ ଫେରାଇଦିଏ।ଯେମିତି ରାଜା ପ୍ରଜାଠୁ କର ନେଇ ସେ ଧନକୁ ପୁଣି ତାଙ୍କରି କାମରେ ବିନିଯୋଗ କରନ୍ତି।ସେବି ମାଟିକୁ ବତୁରାଇ ପୁଣି ଚାଲିଯାଏ ଭୂଗର୍ଭକୁ ତାର ଉତ୍ପତି ସ୍ଥଳକୁ।ପୁଣି ଆରମ୍ଭ

ହୁଏ ତାର ଆକାଶମୁହାଁ ହେବାର ପର୍ବ।ଏହାହିଁ ତାର ଜୀବନର ଲକ୍ଷ।ମାଟିକୁ ଫେରେ ପୁଣି ଜଳିପୋଡି ବାଷ୍ପ ହୋଇ ଘନୀଭୂତ ହୋଇ ମେଘ ସାଜି ମାଟିର ଡାକରେ ପୁଣି ଫେରିଆସେ ପୃଥିବୀକୁ ଶସ୍ୟଶ୍ୟାମଳା କରିବା ପାଇଁ। ଆଉ ସେ ଅନାଇଁ ରହିଥାଏ ତାର ପ୍ରିୟ ବର୍ଷାକୁ

କେତେବେଳେ ଆସିବ ତା ନିକଟକୁ।ତାରି ପରଶ ପାଇ ସେ ଉନ୍ମାଦିତ ହେବ।ତାକୁ ସାଉଁଟିନେଇ ନିଜ ଭିତରେ ସାଉଁଟିବ।ଧିରେ ଧିରେ ସେ ବତୁରିବାକୁ ଲାଗିବ ।ତାର ଜୀବନ୍ୟାସ ହେବ।ବହିର୍ଖୋଳପା ଫାଟିବ ସେ ଧିରେଧିରେ ନୂତନ ରୂପଧରି କୋଲପ ଖୋଲିବ।ସବୁଜ ରଂଗରେ ରଂଗାୟିତ ହେଇ ଏକପତ୍ରୀ ଦ୍ବିପତ୍ରୀ ହେଇ ବାହାରର ଆଲୁଅ ଦେଖିବାର ଅଭୀପ୍ସା କୁ ସାର୍ଥକ କରିବ।ନିରେଖିବ ପୃଥିବୀକୁ।ସୁନ୍ଦର ସୁନେଲି ସୂର୍ଯ୍ୟ କିରଣକୁ।ତାରାଭରା ଚାନ୍ଦିନି ଜ୍ୟୋସ୍ନାକୁ।ଧିର ପବନର ପରଶ ପାଇବ।ଉଲ୍ଲୁସି ଉଠିବ ତାର ଅଙ୍ଗ ଅଙ୍ଗ।ସେ ଛନଛନ ହେଇ ବଢି ଉଠିବ ନବ ପଲ୍ଲବ ମେଲେଇ।ତାପରେ କଢି ଧରିବ।କଢିରୁ ରଂଗବିରଂଗର ଫୁଲ ଫୁଟିବ।ତାରି ସୁଗନ୍ଧରେ ମଦମତ୍ତ ହେଇ ଆକର୍ଷି ଆସିବେ କେତେ ପ୍ରଜାପତି ଭଅଁର ମହୁମାଛି ଆଉ ମଣିଷ ପଶୁବି।ରଂଗ ସୌରଭ ବୁଣି ସେ ନିଜକୁ ଭାଗ୍ୟବାନ ଭାବିବ।ତାପରେ ପୁଣି ସେ ଫଳ ଧାରଣ କରିବ।ଶସ୍ୟ କେଣ୍ଡାରେ ହଲି ଦୋହଲି ପବନ ସହ ନୃତ୍ୟ କରିବ।ଯେତେବେଳେ ସେ ଦୁଧନେଇ ଟିକେ ପାକଳହେବ ପକ୍ଷୀମାନେ ଆସି ନିଜ ନିଜ ଚଞ୍ଚୁରେ ତାକୁ ଖାଇ କ୍ଷୃଧା ନିବାରଣ କରିବେ।ଯେବେ ପୂର୍ଣ ମାତ୍ରାରେ ଶସ୍ୟ ପାଚିଯିବ ସ୍ବର୍ଣରଂଗରେ ଭରିଯିବ କ୍ଷେତ।ଧରଣୀରାଣୀ ସ୍ବର୍ଣବର୍ଣା ହୋଇ ଶସ୍ୟଶାଳିନୀ ରୂପରେ ନିଜକୁ ଗର୍ବିତ ଭାବିବ।ଦୁନିଆଁ ଲୋକେ ଅନ୍ନପାଇ ଖାଦ୍ୟାଭାବ ଦୂରକରିବେ।ତାକୁ କାଟିଆଣି ଅମଳ କରି ସାଇତି ରଖିବେ।ତାରି ବୀଜରୁ ପୁଣି ତିଆରିହେବ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ।ସାରା ଜୀବ ଚରାଚର ତାକୁ ପ୍ରସାଦ ରୂପରେ ପାଇ ଭୋକ ନିବାରଣ କରିବେ।

 

ପୁଣି ପହଲି ବର୍ଷାର ପ୍ରରମ୍ଭରେ ଝ୍ୟେଷ୍ଠର ପ୍ରଚଣ୍ଡ ଖରାକୁ ଭୃକ୍ଷେପ ନକରି ଚାଷି ମାଟିକୁ ଚଷି ଉର୍ବରା କରି ତାକୁ ବୁଣିଦେବ।ପୁଣି ସେ ଅପେକ୍ଷା କରିବ ତାର ସେ ପ୍ରିୟ ବର୍ଷାକୁ।ତାରି ପ୍ରେମାତୁର ଡାକଶୁଣି ପୁଣି ବର୍ଷା ଫେରିବ ତା ପ୍ରିୟ ବୀଜ ପାଖକୁ।ପୁଣି ତାକୁ ଜୀବନ୍ୟାସ ଦେବ।ଦେଶହିତ ଜନହିତ ପାଇଁ।ବର୍ଷା ଆଉ ବୀଜର ପବିତ୍ର ପ୍ରୀତି ଚିରଶାଶ୍ୱତ ଚିର ଅମର।ସଂସାର ପାଇଁ ମଙ୍ଗଳକାମୀ।ପ୍ରେମ ସଦାବେଳେ ମଙ୍ଗଳ କାମୀହିଁ ହେଇଥାଏ।ଦୟା କ୍ଷମାର କୋମଳ ଭାବନାରେପ୍ଲାବିତ ହେଇଥାଏ ପ୍ରେମ।ପ୍ରେମ କାହାରି ଅମଙ୍ଗଳ ଚାହେଁନି।ସ୍ବାର୍ଥ ସର୍ବସ୍ବଠୁ ଦୂରେ ଥାଏ ପ୍ରେମ।ସୁଦୂର ପ୍ରସାରୀ ଅନ୍ୟପାଇଁ ବିତରିତ ହେବାର ସ୍ରୋତଟିଏ ପ୍ରେମ।ଯିଏ କେବଳ ଦେବାପାଇଁ ଜନ୍ମ।ଅନ୍ୟର ଖୁସିରେ ତାର ଆନନ୍ଦ।ପ୍ରେମ ବର୍ଷା ଆଉ ବୀଜର ହେଉ ବା ଆକାଶ ଆଉ ମାଟିର ହେଉ ସଦା ଅନ୍ୟର ଉପକାର ପାଇଁ।ଏ ପ୍ରେମ ଅନାଦି କାଳରୁ ରହିଆସିଛି ଆଉ ଭବିଷ୍ୟତକୁ ବି ରହିବ।ଚପଳ ଛନ୍ଦା ବର୍ଷାର ଆଗମନର ଶୁଭ ସଂକେତ ମିଳିବା ପରେ

ବୀଜ ମନେମନେ ଉନ୍ମାଦିତ ହେଇଉଠେ।ଆଉ ତାରି

ସଂଗେ ମତୁଆଲି ହେଇ ଉଠନ୍ତି ବଣ ପାହାଡ ନଈ ଝରଣାବୃକ୍ଷଲତା କୀଟପତଙ୍ଗମନୁଷ୍ୟ ପଶୁ ସାରା ଜଗତ।ଆଜିବି ସେମିତି ବର୍ଷାର ଆଗମନୀର ଶୁଭ ଖବରରେ ସମସ୍ତେ ବର୍ଷାମଗ୍ନ ହେଇ ଉଠିଛନ୍ତି।ଦୂରରୁ ଶୁଭୁଛି ବର୍ଷାର ଆସିବାର ପାଦଶବ୍ଦ।

 

ବାହାରେ ଏବେ କାରଟିଏ ଆସି ଅଟକି ଗଲା।ଅମୂଲ୍ୟାର ଭାବନା ଅଟକି ଗଲା ସେଇଠି।ଚକ୍ଷ୍ୟୁ ତାର ଖୋଜିହେଲା ପ୍ରିୟଙ୍କ ଦର୍ଶନକୁ।ଅନେକ ବର୍ଷପରେ ଦେଖାହେବ।ସୁବ୍ରତ ଏବେ ଆଉଟିକେ ଗୋଲେଇ ଆହୁରି ସୁନ୍ଦରହୋଇ ଯାଇଛି।ବିବାହ ବେଳେ କଅଁଳ ବାଉଁଶ ପରି ପତଳା ଥିଲା।ଡ୍ରାଇଭର ଗାଡି ରଖି ଫେରିଯିବା ପରେ ଆବେଗରେ ଟାଣି ନେଲା ଅମୂଲ୍ୟାକୁ ନିଜ ବାହୁବନ୍ଧନରେ।ଏବେ ଦୁଇଟି ଅତୃପ୍ତ ଆତ୍ମା ଭିଜୁଥିଲେ ପ୍ରେମ ବର୍ଷାରେ ।ଆଉ ବାହାରେ ବର୍ଷା ତାର ତାଣ୍ଡବ ରଚୁଥିଲା।ଅମୂଲ୍ୟା ଏବେ ଆଶାୟୀ ଥିଲା ତା କୋଳରେ ବି ବୀଜ ଟିଏ ଏବେ ନୂତନ ରୂପ ନେଇ ପଦାର୍ପଣ କରିବ।ଆରବର୍ଷକୁ ଏମିତି ବର୍ଷାରେ ସାଥୀ ହେବାକୁ କେହି ଜଣେ ଥିବ ତା ପାଖରେ।


ଗୌରାଙ୍ଗ ପଟେଲ,ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)

ନିଖାଁ ନିଖାଁ

ଦେଖତ ଦେଖତ ଇ ପିଲାଲା,

ନି ମାନବାର୍ ମୋର କଥାଲା।।

ଆଲୁ ଭାଜଲେ ନିଖାଁ କହଥେ,

ବାଇଗନ୍ ଦେଖଲେ ନାକ ଟେକଥେ।।

ଭେଡି ଦେଲେ ଖଁସରା ଦଥେ,

ଭାଜି ଶାଗଲା ରଖ୍ କହଥେ।।

ଡକିଲା ପଛେ ପାରେଲ୍ ହହି,

ଆଚ୍ଛା ଅଡୁଆ କରିସଗା ଇ।।

– – – – – – – – – – – – – –

ଛୁଆକେ ମା’ଲା କହିନ୍ ବାପା

ନି ଖାଏଲେ ହହି କେନ୍ତା

କା’ଲା ଖାହିଯେ ଅଲା ପଚରା

କିଛି ନି ହେଲେ ମେଗି ବନା

ବାପାକେ କଥା ସୁନକେ ଅଜା

ଆ’ରେ ନାତିଆ କହିନ୍ ଅଲା

– – – – – – – – – – – – – – –

ଘର ବାଏର୍ ନେ ଅଜା ନାତିଆ

ବୁଲ୍ ବୁଲ୍ କେ ଦେଖିନ ବଗିଚା

ଆଲୁ ଉଇଲ ବାଇଗନ୍ ସେମି

ମଟର ଧନିଆଁ ଚାରିକତି

ଇ ବରସ୍ ନ ବେଶ ନାତିଆ

ଚାଷ୍ ବାସ୍ କରକେ ଲାଭ କାଲା ?

‘କା ହଇସ୍ ଯେ ଅଜା’ କହିସ୍ ପିଲା,

ସେନୁ ବୁଝାଇନ୍ ବାବୁ ଛୁଆଲା

ତୁମ ସଭେ‌ ଗା ବାବୁ ଖାହା କକେ

ଚାଷ କରିହାନ୍ ଖଟ ଖଟକେ

ତୁମ୍ ଗରା ସବୁ ନିଖାହା ହେଲେ,

କା ଲାଭ୍ ଏତେ ଚାଷ କରକେ !

ଟାମ୍ ଟୁରକୁ ଟିକେ, ଭାବେଲ୍ ବସିସ୍

ଚଲ୍ ଯାଉଁ ଚଲ୍ ଘର୍ କହିସ୍

ଘରଲା ଯାକେ ଖାଏଲ୍ ମାଗିସ୍

ମା ଯାହା ଦିନ୍ ସବୁ ଖାଇସ୍

କା ହାଇସ୍ କେ ସଭେ ଭାବିନ୍ ,

ଆଖି ଠାରକେ ଅଜା ଇସାରା କରିନ୍

ମୁଲକି ହଁସା ସଭେ ହସିନ୍ ,

ପେଟ ଭରା ଖାକେ, ବାବୁ ଉଠିସ୍


ସୁସ୍ମିତା ନାଏକ, ସୁନ୍ଦରଗଡ଼

ଅପେକ୍ଷା

ଧରା ଭଲ ପାଠ ପଢୁଥିଲା, ତଥାପି ଚାକିରୀ ଟେ ମିଳିଲାନିl ବହୁତ ଚେଷ୍ଟା ଵି କରିଛି, ଦିନ ରାତି ଏକ କଲା ପରେ ଵି ସେ  ନିରାଶ l ଆକାଶ ସହ ତା ଭଲ ବନ୍ଧୁତା ଥିଲାl ଧରା ଯେବେ ଵି ମନ୍ଦିର ଯାଏ, ଆକାଶ କୁ ଵି ଆସିବାକୁ କୁହେ, ଉଭୟେ ମିଶି ବହୁତ ଗପସପ କରି କି ଯାନ୍ତି l

ଆକାଶ କୁ ଭଲ ଚାକିରୀ ଟେ ମିଳିଯାଏ, ସେ କାମ ରେ ମାତିଯାଏ, ପୂର୍ବ ପରି ସେ ସମୟ ଵି ଦେଇପାରେନି l ଯେତିକି ବିବାହ ପ୍ରସ୍ତାବ ଆସେ, ଧରା କୁ କିଛି ପସନ୍ଦ ଆସୁ ନ ଥାଏl କେମିତି ବା ଆସିବ, ମନରେ ତ ଆକାଶ କେବେ ଠୁଁ ବସା ବାନ୍ଧି ସାରିଲାଣି| କିନ୍ତୁ ଆକାଶ କୁ ଏ କଥା କେବେ ସେ ଜାଣିବାକୁ ଦେଇନି କାଳେ ସେ ଭାବିନେବ ବନ୍ଧୁତା ସେଇଥିପାଇଁ ଥିଲା ବୋଲି l ହେଲେ ଦିନେ ନା ଦିନେ ତ  ପ୍ରକାଶ କରିବାକୁ ହେବl ଆକାଶ ନିଶ୍ଚୟ ଶୁଣି ଖୁସି ହେବ l ଚାକିରୀ ଟେ ଲାଗିଯାନ୍ତା ହେଲେ କହିବାକୁ ଆତ୍ମବିଶ୍ୱାସ ଵି ଆସନ୍ତାl

 

ଧରା କୁ ମାଁ ଵି ବିରକ୍ତ ହେଉଛନ୍ତି l ବିବାହ ପ୍ରସ୍ତାବ ସେ ଗୋଟିଏ ପରେ ଗୋଟିଏ ପ୍ରତ୍ୟାଖାନ କରି ଚାଲିଛି, କହୁଛି ଚାକିରୀ ଟେ ଲାଗିଲା ପରେ ମୁଁ ଆଉ ମନା କରିବିନି, ଯଉଠି ବି କହିବୁ ରାଜି ହେବି l

 

ଆକାଶ ଯିବା ପୂର୍ବରୁ ଫୋନ କରିଥିଲା ଆଜି ଦିଲ୍ଲୀ ଯାଉଛି ବୋଲି, join କରିବ l ମନେ ମନେ ଧରା ଵି ଭାବିଛି ଯଦି ଆକାଶ କେବେ କୁହେ ଚାକିରୀ ଆଶା ନ କରି ମୋ ସହ ଦିଲ୍ଲୀ ଯିବା ପାଇଁ…. ତେବେ ସେଇଟାକୁ ତା ପ୍ରସ୍ତାବ ଭାବି ହଁ ଭରି ଦିଅନ୍ତାl

 

କାହିଁକି କେଜାଣି ଆକାଶ କେବେ ଵି ସେମିତି କିଛି କହୁନିl ଧରା ର ଦୁଇଟି ପ୍ରାର୍ଥନା ଭଗବାନ ଙ୍କ ଆଗରେ, ଗୋଟିଏ ଚାକିରୀ ଆଉ ଅନ୍ୟ  ଟି ଆକାଶ l ଚାକିରୀ ନ ହେଲା ନାଇଁ କିନ୍ତୁ ଆକାଶ ତା ଜୀବନସାଥି ହୋଇଯାଉ l ତାକୁ ଲାଗେ ସେ ତା ସବୁକଥା ବୁଝେ l ହୋଇପାରେ ଆକାଶ  ବି ଅପେକ୍ଷା ରେ ଥିବ ଆଉ କିଛି କହି ପାରୁ ନ ଥିବ l

 

ଆଜି ପୁଣି ଗୋଟିଏ ଇଞ୍ଜିନିଅର ର ପ୍ରସ୍ତାବ ଟିଏ ଆସିଛିl ହେଲେ ଧରା ର ପୁଣି ସେଇ କଥା l ଆଉ ଆଗକୁ ପଢ଼ିବି ଆଉ ଭଲ ଚାକିରୀଟିଏ କରିବି l ଆକାଶ ଯିବା ପରେ କେତେଥର ଫୋନ କରିଛି କିନ୍ତୁ ଧରା ତା ମନ କଥା ଖୋଲିକି ଵି କହିପାରୁନି l

 

ଆକାଶ ର ଆଜି ଜନ୍ମଦିନ l ଆଜି ଧରା କଥା ଛଳରେ କିଛି ପ୍ରକାଶ କରିବା ଇଚ୍ଛା ରଖିଛି l ଶୁଭେଚ୍ଛା ମେସେଜ କରିଛି l ଆକାଶ ଧନ୍ୟବାଦ ଟିଏ ଦେଇ ତା କାମ ରେ ବ୍ୟସ୍ତ l ଧରା ଯେତେବେଳେ ଫୋନ କରେ ଆକାଶ ବ୍ୟସ୍ତରେ କୁହେ ପରେ ଫୋନ କରିବି l ଆଜି ଜନ୍ମଦିନ ରେ ଗୋଟିଏ କଥା କହିବାକୁ ଅଛି l ତୋ ପାଇଁ ଗୋଟିଏ ସରପ୍ରାଇଜl ଧରା ଶୁଣି କି ବହୁତ ଖୁସି l ଆଜି ନିଶ୍ଚୟ ତା ପ୍ରତୀକ୍ଷା ର ଅନ୍ତ ଘଟିବ l କେତେବେଳୁ ଅପେକ୍ଷା କରିଛି ସେ ମୁହୂର୍ତ୍ତକୁ l ଆକାଶ କହିଲା ପରେ ଆଜି ମାଁ କୁ ବି ସରପ୍ରାଇଜ଼ ଦେବି ବୋଲି ସେ ବହୁତ ଖୁସି l ରାତି ଦଶ ଟା ହେଲାଣି, ଫୋନ ଵି ଆସିନି l ଧରା

 

ଆଉ ନିୟନ୍ତ୍ରଣ ରେ ନାହିଁ, ସେ ନିଜେ ଫୋନ କରେ ଆକାଶକୁ… ଆକାଶ ଫୋନ ଉଠାଏନି l

କିଛି ସମୟ ପରେ ଆକାଶ ଫୋନ କରେ.. ଧରା ଅଭିମାନ ଭରା କଣ୍ଠରେ କୁହେ, ଆଉ କେତେ ପ୍ରତୀକ୍ଷା କରେଇବ ଆକାଶ ?

 

ଆକାଶ ନୁହଁ ବର୍ଷା… ମୁଁ ବର୍ଷା l ଆକାଶ ର ଗର୍ଲ ଫ୍ରେଣ୍ଡ.. ସରପ୍ରାଇଜ଼…. ଆକାଶ ମୋତେ ତୁମ ବିଷୟରେ ସବୁ କହିଛନ୍ତି, ତୁମେ ତାଙ୍କର କ୍ଲୋଜ ଫ୍ରେଣ୍ଡ… ଏଵେ ପାର୍ଟି ରେ ଅଛୁ l ପରେ କଥା ହେବି, ନିଅ ଆକାଶ ସହ କଥା ହୁଅ l ଧରା ସତରେ ଭାବି ନ ଥିଲା ଏତିକି ବଡ଼ ସରପ୍ରାଇଜ଼ ସେ ପାଇବ ବୋଲି l ଆକାଶ ଫୋନ ଧରୁ ଧରୁ ଧରା କହିଲା, ମୁଁ ପରେ ଫୋନ କରୁଛି l ତୁମେ ସେଲେବ୍ରେଟ କର l

 

ଧରା କୁ ସବୁ ଅନ୍ଧାର ଦେଖାଯାଉଥାଏl ସ୍ବପ୍ନ ଦେଖିବା ବହୁତ ସହଜ,  ହେଲେ  ପୂର୍ଣ୍ଣ ହେବା ଟା ନିୟତି ର ଖେଳ l ଆଉ ସେ ଆକାଶ କୁ ଦୋଷ ଦେଇ ପାରିବନିl ସେ କେବେ କହି ନ ଥିଲା ସ୍ବପ୍ନ ଦେଖିବାପାଇଁl ମାଁ କୋଳ ରେ ମୁଣ୍ଡ ରଖି କହିଲା, ମାଁ ସେ ଇଞ୍ଜିନିଅର ପିଲା ଟା କଣ ମୋତେ ଖୁସିରେ ରଖିବ? ତୋ ମନ କଣ କହୁଛି…? ହଁ… ଭଲ ପିଲାଟା…. ତୁ ମନା କଲା ପରେ ଵି ସେ ଅପେକ୍ଷା କରିଛି ତୋ ହଁ ପାଇଁ l ଅଶ୍ରୁ ଗଦ ଗଦ ହୋଇ ମାଁ କୁ ଜାବୁଡି ଧରି କାନ୍ଦି ଉଠିଲା ଧରା l


ମାଳବିକା ପଟେଲ, ଭୁବନେଶ୍ୱର

ମୋ ରାଣ

ଗୁମ୍ ସୁମ୍ ଧରା

ବ୍ୟଥାର ଡହ ଡହ ଖରା

ଝାଞ୍ଜିର ଝଣ୍ ଝଣ୍ ଛାଟ

ବାଲି ଚରିଯାଏ ନଦୀ ଘାଟ

କେବେ ବରଷିବ ବୁନ୍ଦେ

 

ମନ ସନ୍ଧିରେ ଅଳିଆ ଲାଗେ

ଯୁଇ ଯାଇ ଆଉ ନାହିଁ ଫୁଟେ

କେଉଁ ଠାରେ ଶୁଭେ ପତ୍ରର ମର୍ମର

କିଏ କିଛି ଅବା କହେ l

 

ଚାତକ ଆଖି ଶୁଖିଗଲା

ଆସିବ ବୋଲି କହିଥିଲ ତୁମେ

କେଉଁ ବନରେ ଲାଗିଗଲା ନିଆଁ

ବଂଶୀ କାନ୍ଦେ ତୁହାକୁ ତୁହା l

 

ଏବେ ଆଉ ଶୁଭେନାହିଁ ମାଦଳ

ବିଜୁଳି ଚମକେ ନାହିଁ, ବାଜେ ନା ଘୁଙ୍ଗୁର

ତୁମେ କିନ୍ତୁ ଆସିବ ସତ କୁହ

ସାଥିରେ ଧରି ମେଘ

ତୁମକୁ ରହିଲା ମୋ ରାଣ l


ତାନିଆ ପଟେଲ ସୁରଗୁଡା, ସୁନ୍ଦରଗଡ

ଅଭିନୟ

କ୍ଷତ ବିକ୍ଷତ ମୋ କଣ୍ଢେଇ ଟିକୁ ଲୁଚେଇବା ପାଇଁ

ମୁଁ ତାକୁ ଅନେକ ଅଳଙ୍କାର ରେ ସଜେଇଛି

ସମାଜ ଆଗରେ ଲୁହ ଲୁଚେଇ

ମୁଁ ତାକୁ ହସିବା ସିଖେଇଛି  ।

 

ଉଡି ବୁଲୁଥିଲା ଯିଏ ଉଡନ୍ତା ପକ୍ଷୀ ପରି

ଆଜି ସୁନା ପଞ୍ଜୁରି ରେ ଘର କରିଛି

ଝାଟିମାଟି ଘରେ ରାଜରାଣୀ ଯିଏ

ସୁନା ପଞ୍ଜୁରି ରେ ନିଶ୍ବ ସାଜିଛି  ।

 

ତା ପସନ୍ଦର ପରିସୀମା ବାହାରେ

ମାପି ମାପି ଡରି ଡରି  ସେ ପାଦ ଦଉଛି

ତଥାପି କହେ ସେ ମୁଁ, ମୁଁ ହୋଇଅଛି

ଦେଖ ଦୁଃଖ ନାହିଁ ମୋର , ମୁଁ ହସୁଛି  ।

 

ବଞ୍ଚୁଥିଲା ଯିଏ ଆପଣାଙ୍କ ମଝିରେ

ଆଜି ପର ଖୁସି ପାଇଁ ସମୟ କାଟୁଛି

ପ୍ରତ୍ୟେକ କ୍ଷଣେ ସେ ନିଜକୁ ଲୁଚେଇ

ଅତି ସୁନ୍ଦର ଅଭିନୟ କରୁଛି  ।


ଜାଗୃତି ନାଏକ, ସୁନ୍ଦରଗଡ

ଜୀବନ

ଜୀବନକୁ କେବେ ଉତାରି ଦେଖ

ସାଦା କାଗଜରେ

କେବେ ସମସ୍ତଙ୍କୁ ଯୋଡୁ ଯୋଡୁ

ବନିଯାଏ ଜୀବନ ଜ୍ୟାମିତିର ଅପ୍ରମାଣିତ ଉପପାଦ୍ୟ ଟିଏ

ତ କେବେ ବୃତ୍ତଟିଏ ଗଢ଼ୁ ଗଢ଼ୁ

ବନିଯାଏ ପରିକ୍ରମଣର ପଥଟି ଆପେ ଆପେ ବୃତ୍ତଟିଏ ।

 

ଅଣାୟତ୍ତ ସ୍ବପ୍ନ ମାନଙ୍କୁ କେବେ ରଙ୍ଗୀନ କରିବାକୁଯାଇ

କେବେ ଛନ୍ଦି ହୋଇଯାଏ ବ୍ୟସ୍ତ ଅକ୍ଷାଂଶ ଓ ଦ୍ରାଘିମାରେ

ତ କେବେ ସ୍ମୃତିମାନଙ୍କ ଚିତ୍ର ଆଙ୍କି ହୋଇଯାଏ

ସ୍ୟାହି ହୋଇ ସେ ସାଧା କାଗଜରେ ଅସଂଜତ ଭାବେ।

 

ଜୀବନର ସପ୍ତରଙ୍ଗକୁ ରଙ୍ଗୀନ କରିବାକୁ ଯାଇ

କିଛି ନୂଆ ରଙ୍ଗ ଯୋଡ଼ି ହୋଇଯାଏ

ତ କେବେ କିଛି କିଛିଟା ଇଚ୍ଛା ସବୁ ଛୁପିଯାଏ

ଅଗଣିତ ଶବ୍ଦମନଙ୍କ ଆଢ଼ୁଆଳରେ।

 


ଖବର

 

December 2023

Dr.Aparupa Naik, Ph.D in Bi-Technology. guide Prof.Jogeshwar Panigrahi, Dr. Amiya Kumar Patel

 

April 2023

Dr.Sarita Patel, Genesis of uranium mineralization in the singhbhum shear Zone: Constraints from geochemistry and geochronology of hydrothermal minerals, Department of Geology & Geophysics, IIT Kharagpur

 

Dr.Rajashree Naik, Rourkela

 

Dr Madhumita Patel, joined as Resident Doctor in General Surgery Department GMC Shahdol Medical College and Hospital, Madhya Pradesh.

 

Dr. Roshni Patel , Sundargarh

Geology

Title- An appraisal of the Permian palaeobiodiversity, palaeoclimate and geology of a part of the Talcher Basin, Eastern coastal area, India: From a palaeobiological panorama

 

 

1 thought on “ପ୍ରଜ୍ଞା ପ୍ରୟାସ – APRIL 2023”

Leave a Reply

Your email address will not be published. Required fields are marked *